ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୫ପ୍ରତିଶତ ବାସିନ୍ଦା ନିଜ ଜମି ସ୍ବେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାର ଦିନକପରେ ଅର୍ଥାତ୍‌ ମଙ୍ଗଳବାର ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତଭାବେ ଜମି ବିକ୍ରି ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ଆସନ୍ତା ୭ଦିନ ଅଧିକ ବୃଦ୍ଧି କରିଛନ୍ତି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି ସମୟ ବୃଦ୍ଧି କରାଯାଇଛି। ଶ୍ରୀମନ୍ଦିର ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତଭାବେ ଗ୍ରହଣ କରିଛନ୍ତି। ନିରାପତ୍ତା ବଳୟ ସକାଶେ ନିଜ ଜମି ମଧ୍ୟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ୨୦୧୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share