ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ: ୪୦ ଦିନରେ ୭୫ ପ୍ରତିଶତ ଜମି ସଂଗ୍ରହ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ନିମନ୍ତେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ଏହାର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜନ୍ମାଷ୍ଟମୀ ଦିନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା। ସମ୍ପ୍ରତି ୪୦ ଦିନ ଭିତରେ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ପ୍ରାୟ ୭୫ପ୍ରତିଶତ ଘରୋଇ ଜମି ସଂଗ୍ରହ କରାଯାଇପାରିଛି। ସାରା ଦେଶର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା। ମହାପ୍ରଭୁଙ୍କ ପାଇଁ ଲୋକମାନେ ସ୍ବେଚ୍ଛାକୃତଭାବେ ନିଜ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଏହି ପ୍ରକ୍ରିୟାରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ମହାପ୍ରଭୁଙ୍କ ପାଇଁ ଲୋକମାନଙ୍କ ଏହି ତ୍ୟାଗକୁ ସବୁଦିନ ଲାଗି ଶ୍ରଦ୍ଧାର ସହିତ ଓଡ଼ିଆ ଜାତି ମନେରଖିବେ। ଏହି ମହାନ୍‌ ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ ଭାବେ ଗଢିତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟ ସକାଶେ ଜିଲା ପ୍ରଶାସନ ଏବଂ ଏହାର ସମସ୍ତ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ଛୁଟିଦିନଗୁଡିକରେ ମଧ୍ୟ କାମ ଜାରି ରଖିଛନ୍ତି। ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Share