ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୨୦।୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନରେ ଆୟୋଜିତ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ସମ୍ପର୍କରେ ମୁଖ୍ୟତଃ ତର୍ଜମା କରାଯାଉଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଗତ ନଭେମ୍ବର ୪ତାରିଖରେ ସଂସ୍କାର ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟରେ ୨୨ଟି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି, ମହାପ୍ରଭୁଙ୍କ ସମ୍ପତ୍ତିର ହିସାବ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ରହଣି ଆଦି ବ୍ୟବସ୍ଥା କରିବାକୁ କହିଥିଲେ। ଆସନ୍ତା ଜାନୁୟାରୀ ୮ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଥିବାବେଳେ ଏହା ପୂର୍ବରୁ ୨୨ଟି ନିର୍ଦ୍ଦେଶ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତେଣୁ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ସୂର୍ଯ୍ୟୋପରାଗ, ନୂଆବର୍ଷ, ମକର ସଂକ୍ରାନ୍ତିର ସ୍ବତନ୍ତ୍ର ନୀତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇ ଚୂଡ଼ାନ୍ତ ହେବ।

Share