ଶ୍ରୀମନ୍ଦିର ଭିତର ଫଟୋ, ଭିଡିଓ ଭାଇରାଲ

ପୁରୀ ଅଫିସ, ୧୩ା୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ। ବିଭିନ୍ନ ସମୟରେ ଭକ୍ତମାନେ ମନ୍ଦିର ଭିତରେ ସେଲ୍‌ଫି ନେଇ ଓ ଫଟୋ ଉଠାଇ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ରବିବାର ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ। ଏଥିରେ ବାନା ବନ୍ଧାଯିବାର ଫଟୋ ଓ ଭିଡିଓ ରହିଛି। ଦୁଇମାସ ମଧ୍ୟରେ ଏଭଳି ତୃତୀୟ ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଇଆସୁଛି। ବିଗତ କିଛିବର୍ଷ ହେଲା ଏନ୍‌ଏସ୍‌ଜି ମଧ୍ୟ ଆସି ମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ରହିଛି। ଏଥିପାଇଁ ଡାକବାଜି ଯନ୍ତ୍ର ଯୋଗେ ଭକ୍ତଙ୍କୁ ସଚେତନ କରାଯିବା ସହ ଚାରିଦ୍ୱାରରେ ସୂଚନାଫଳକ ଲଗାଯାଇଛି। ପ୍ରବେଶ ପଥରେ ପୋଲିସ ମୋବାଇଲ ଫୋନ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଛି। ଏହାସତ୍ତ୍ବେ ଭିତରକୁ ମୋବାଇଲ ଯାଉଛି କିପରି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ। ରବିବାର ଯେଉଁ ଭିଡିଓ ଓ ଫଟୋ ଭାଇରାଲ ହୋଇଛି ତାହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ବାସ୍ତବତାକୁ ପଦାରେ ପକାଇ ଦେଇଛି। ଉତ୍ତରପ୍ରଦେଶ ବାରବାଙ୍କୀ ଅଞ୍ଚଳର ନିଧି ଶୁକ୍ଳା ନାମ୍ନୀ ଜଣେ ଯୁବତୀଙ୍କ ଫେସ୍‌ବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତରୁ ବାନା ବନ୍ଧାଯିବାର ଭିଡିିଓ ଓ ଫଟୋ ଅପ୍‌ଲୋଡ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି ମନ୍ଦିର ଭିତରକୁ ସେ ମୋବାଇଲ ଫୋନ ନେଲେ କିପରି? ଶ୍ରୀମନ୍ଦିରର ଚାରିଦ୍ୱାରରେ ମାଳ ମାଳ ପୋଲିସ ଥାଇ ମଧ୍ୟ କିପରି ଜାଣିପାରୁନାହାନ୍ତି? ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁ କହିଛନ୍ତି, ଆମ ନଜରକୁ ଏହା ଆସିନାହିଁ। ଶ୍ରୀମନ୍ଦିର ପ୍ରଶାସନ ଯଦି ଏ ସମ୍ପର୍କରେ ଅବଗତ କରାନ୍ତି ନଚେତ ପୋଲିସ ମଧ୍ୟ ନିଜ ଆଡୁ ପଦକ୍ଷେପ ନେବ ବୋଲି କହିଛନ୍ତି।
ସୂଚନାଥାଉ କି, ଗତବର୍ଷ ଡିସେମ୍ବର ୨୧ରେ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଭିଡିିଓ ଓ ଫଟୋ ଭାଇରାଲ ହୋଇଥିଲା। ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୋମ୍‌ ମୋଡାକଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହା ଅପ୍‌ଲୋଡ ହୋଇଥିଲା। ସେହିପରି ଗତବର୍ଷ ନଭେମ୍ବରରେ ଜଣେ ନାବାଳିକା ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିିଓ ଶୁଟିଂ କରି ଏହାକୁ ଭାଇରାଲ କରିଥିଲେ।

Share