ଶ୍ରୀମନ୍ଦିର ମରାମତି କାମ ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି: ହାଇକୋର୍ଟରେ ଦାଖଲ କରିବେ ସତ୍ୟପାଠ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ମରାମତି କାର୍ଯ୍ୟର ତଦାରଖ ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଇଂ. ଏନ୍‌.କେ. ମହାନ୍ତି ବୁଧବାର ଶ୍ରୀମନ୍ଦିରକୁ ଆସି ବିଭିନ୍ନ କାମର ଅନୁଧ୍ୟାନ କରିଛନ୍ତି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିରର ମରାମତି କାମ ଏଏସ୍‌ଆଇ ଶେଷ କରିଛି। ଏହି କାମ କେମିତି ହୋଇଛି ତାହାର ସ୍ଥିତି ପରଖିଛନ୍ତି ଆମିକସ୍‌କ୍ୟୁରି। ଏଥିସହ ନାଟମଣ୍ଡପରେ ଲାଗିଥିବା କ୍ରାକ୍‌ ମିଟର ଠିକ୍‌ ଭାବେ ରିଡିଂ କରୁଛି କି ନାହିଁ ତାହା ମଧ୍ୟ ଦେଖିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ବୋଲି ଜଣାପଡ଼ିିଛି।
ବାତ୍ୟାରେ ଶ୍ରୀମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମୁଖ୍ୟମନ୍ଦିରର ୨ଟି ସିଂହ ମୂର୍ତ୍ତି ତଳକୁ ଖସିପଡ଼ିଥିବାବେଳେ ଭୋଗମଣ୍ଡପ କଳସ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ସିଂହଦ୍ୱାର ପ୍ରବେଶ ପଥରେ ଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ଖସିପଡ଼ିଥିଲା। ଏତଦ୍‌ବ୍ୟତୀତ ବେଢା ପରିସର କେତେକ ମନ୍ଦିରରୁ ପ୍ଲାଷ୍ଟର ଖଣ୍ଡ ଛାଡ଼ିିଥିଲା ବେଳେ କଳ୍ପବଟ ବି ଭାଙ୍ଗିଥିଲା। ଆଗକୁ ରଥଯାତ୍ରା ଆସୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଆବଶ୍ୟକ ଥିଲା। ତେଣୁ ମରାମତି କାମକୁ ଜୋର୍‌ଦାର କରିଥିଲା ଏଏସ୍‌ଆଇ। ମୁଖ୍ୟ ମନ୍ଦିରର ୨ଟି ସିଂହମୂର୍ତ୍ତି, ଭୋଗମଣ୍ଡପ କଳସ ଏବଂ ବେଢା ପରିସର ଅନ୍ୟାନ୍ୟ ମନ୍ଦିରର ଆବଶ୍ୟକ ମରାମତି କାମ ସରିଥିବାବେଳେ ସ୍ନାନପୂର୍ଣ୍ଣିମା ଦିନ ଜୟ, ବିଜୟ ମୂର୍ତ୍ତି ସ୍ଥାପନ ହୋଇଥିଲା। ଏ ସବୁ କାମକୁ ଆମିକସ୍‌କ୍ୟୁରି ବୁଲି ଦେଖିଥିଲେ। ସେହିପରି ନାଟମଣ୍ଡପ ବିମ୍‌ରେ ହୋଇଥିବା ଫାଟ ମେଲୁଛି କି ନାହିଁ ତାହାକୁ ଯାଞ୍ଚ କରିବା ଲାଗି କ୍ରାକ୍‌ ମିଟର ଲଗାଯାଇଥିଲା। ମାତ୍ର ଏହା ଠିକ୍‌ ଭାବେ ଲଗାଯାଇ ନ ଥିବାରୁ ଏହାର ମନିଟରିଂ ସିଷ୍ଟମ ଅର୍ଥାତ୍‌ ରିଡିଂ ଠିକ୍‌ ହେଉ ନ ଥିଲା। ଏହା ଜଣାପଡ଼ିିବା ପରେ ଗତ ୧୪ ତାରିଖରେ ଖଡଗପୁର ଆଇଆଇଟିରୁ ବିଶେଷଜ୍ଞମାନେ ଆସି ଏହାକୁ ମରାମତି କରିଯାଇଛନ୍ତି। ଏହାର ମନିଟରିଂ ସିଷ୍ଟମ ଠିକ୍‌ ଭାବେ ଚାଲୁଛି କି ନାହିଁ ତାହାକୁ ମଧ୍ୟ ଆମିକସ୍‌କ୍ୟୁରି ଦେଖିଥିଲେ। ଏ ସମ୍ପର୍କରେ ଆମିକସ୍‌କ୍ୟୁରି ଗଣମାଧ୍ୟମକୁ କହିଛନ୍ତି, ବାତ୍ୟାରେ ଶ୍ରୀମନ୍ଦିରରେ ଯାହା କ୍ଷୟକ୍ଷତି ହୋଇଥିଲା ଏଏସ୍‌ଆଇ ସେସବୁର ମରାମତି କରିଛି। ସତ୍ୟପାଠ ମାଧ୍ୟମରେ ମରାମତି ସମ୍ପର୍କରେ ସେ ହାଇକୋର୍ଟଙ୍କୁ ଅବଗତ କରାଇବେ।

Share