ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୫ା୧୧: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ମହାପ୍ରଭୁଙ୍କ ଜମିଜମାର ହିସାବ ଏହିଭଳି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଠାକୁରଙ୍କ ସେବାପୂଜାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ରାୟକୁ ନେଇ ମଙ୍ଗଳବାର ଗୋବର୍ଦ୍ଧନ ପୀଠ ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୀଠ ମୁଖପାତ୍ର ମନୋଜ କୁମାର ରଥ ଏହି ଅନ୍ତରୀଣ ରାୟକୁ ସ୍ବାଗତ କରି କହିଥିଲେ ଯେ, ପୂଜ୍ୟପାଦ ଶଙ୍କରାଚାର୍ଯ୍ୟଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଐତିହାସିକ। ଏହି ରାୟ ଫଳରେ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ଅଙ୍ଗ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏବେ ସାମ୍ନାକୁ ଆସିଲେ। ଆଜି ପର୍ଯ୍ୟନ୍ତ ସବୁ ସରକାର ଓ ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱ ଏବଂ ଭୂମିକାକୁ ଗୌଣ ଭାବେ ଦେଖିଆସୁଥିଲେ। ହେଲେ ସୁପ୍ରିମ୍‌କୋର୍ଟ ଗୁରୁଜୀଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି।

Share