ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ ଚିଠିକୁ ଆଧାର କରି କମିଶନର ଏହି ନୋଟିସ କରିଥିବା ଜଣାପଡିଛି। ଏଥିରେ ମହନ୍ତମାନଙ୍କ ଆପତ୍ତି ଓ ପ୍ରସ୍ତାବ ଲୋଡାଯାଇଛିି। କିନ୍ତୁ ସୁରକ୍ଷା ଜୋନରୁ ୪ଟି ମଠ ଉଚ୍ଛେଦ କରାଯିବା ପରେ ଜିଲା ପ୍ରଶାସନ ଏଭଳି ମତାମତ ଲୋଡିବାକୁ ନେଇ ମହନ୍ତମାନେ ଉଦ୍‌ବେଗ ପ୍ରକାଶ କରିଥିବା ସୂଚନା ମିଳିଛି।
ଗତ ୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଦେବୋତ୍ତର କମିଶନରଙ୍କୁ ଚିଠି (ନଂ.୬୨୨) କରାଯାଇଥିଲା। ସୁରକ୍ଷା ଜୋନରେ ଥିବା ମଠଗୁଡ଼ିକ ଉଚ୍ଛେଦ କରାଯିବ। ତେଣୁ ମଠଗୁଡ଼ିକର ପୁନଃ ଥଇଥାନ, ବିକାଶ ଆଦି ସଂକ୍ରାନ୍ତରେ କମିଶନରଙ୍କ ପରାମର୍ଶ ଲୋଡିଥିଲେ। କମିଶନର ଚିଠି ପାଇବା ପରେ ମଠ ମହନ୍ତଙ୍କୁ ନୋଟିସ କରିଥିଲେ। ଏଥିରେ ମହନ୍ତମାନେ ଉପସ୍ଥିତ ରହି ୪ଟି ମଠ (ଲଙ୍ଗୁଳି, ଏମାର, ବଡ଼ଆଖଡା ଓ ମଙ୍ଗୁ) ଭାଙ୍ଗିସାରିବା ପରେ କାହିଁକି ପ୍ରଶାସନ ମତ ଲୋଡୁଛି ବୋଲି ପ୍ରଶ୍ନ କରିଥିଲେ। ଅନେକ ମହନ୍ତ ଲିଖିତ ଭାବେ ନୋଟିସର ଉତ୍ତର କମିଶନରଙ୍କୁ ଜଣାଇଥିବା ବେଳେ ଆଉ କେତେଜଣ ଖୁବ୍‌ ଶୀଘ୍ର ଉତ୍ତର ଦେବେ ବୋଲି ସୂଚନା ମିଳିଛି। ଦେବୋତ୍ତର କମିଶନର ନୋଟିସ କରିଥିବା ମଠଗୁଡ଼ିକ ହେଉଛି ଏମାର, ନରସିଂହାଚାରୀ, ବଳରାମକୋଟ, ମଙ୍ଗୁ, ଦକ୍ଷିଣପାର୍ଶ୍ୱ, ଉତ୍ତରପାର୍ଶ୍ୱ, ତୋରାଣି ଛତ୍ର, ତ୍ରିମାଳୀ, ସାନଛତା, ବଡ଼ଆଖଡା, ଲଙ୍ଗୁଳି, ରାଧାବଲ୍ଲଭ, ରେବେସା, ହାବେଳି ମଠ, ପଞ୍ଜାବୀ, କୌଶଲ୍ୟା ଦାସ ଓ ଶଙ୍ଖଚକ୍ର ମଠ।

Share