ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି କିଣିଛନ୍ତି ସରକାର। ଏହି ବିସ୍ଥାପିତ ୫ ପରିବାରକୁ ମୋଟ ୮କୋଟି ୪୪ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏହି ପରିବାର ମଧ୍ୟରୁ ୨୦ ଜଣଙ୍କୁ ଥଇଥାନ ଓ ପୁନର୍ବାସ କ୍ଷତିପୂରଣ ସହାୟତା ସମେତ ଅଧିକ ୧୦ ପ୍ରତିଶତ ଟଙ୍କା ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜର ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ସରକାର ପ୍ରତ୍ୟକ୍ଷ ଜମି କିଣିବା ନିଶ୍ଚିତ ବଡ଼ ସଫଳତା ବୋଲି କୁହାଯାଉଛି।
ଜଣେ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ, ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ଡିଡ୍‌ କରାଯାଇଛି। ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତ ଭାବେ ସରକାରଙ୍କୁ ଜମି ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ପରିବାରଗୁଡ଼ିକର ଜମି ଏବଂ ସେଥିରେ ନିର୍ମିତ କୋଠା ମୂଲ୍ୟ ବାବଦରେ ୨କୋଟି ୧୪ ଲକ୍ଷ ୮,୩୫୦ ଟଙ୍କା ଡବଲ ହିସାବରେ ଦିଆଯାଇଛି। ବିସ୍ଥାପିତ ହେବାକୁ ଥିବା ଏହି ପରିବାରଗୁଡ଼ିର ୨୦ ଜଣ ସଦସ୍ୟଙ୍କୁ ପୁନର୍ବାସ ଓ ଥଇଥାନ ଯୋଜନାରେ ଏକକାଳୀନ ସହାୟତା ରାଶି ୩୦ଲକ୍ଷ ଲେଖାଏ ମୋଟ ୬କୋଟି ଏବଂ ଅଧିକ ୧୦ପ୍ରତିଶତ ହିସାବରେ ୬୦ଲକ୍ଷ ଟଙ୍କା ଦିଆଯାଇଛି। ମୋଟ ୮କୋଟି ୮୪ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଜିଲାପାଳ ବଲୱନ୍ତ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଜମି କିଣାଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ସୁରକ୍ଷା ଜୋନ ଜମି ଅଧିଗ୍ରହଣ ଅଧିକାରୀ କୈଳାସ ନାୟକ, ତହସିଲଦାର ଆଶିଷ ସାହୁଙ୍କ ସମେତ ୫ ଶିକ୍ଷାନବୀସ ଆଇଏଏସ୍‌ ଅଧିକାରୀ ଏବଂ ଶିକ୍ଷାନବୀସ ଓଏଏସ୍‌ ଅଧିକାରୀଙ୍କ ସହଯୋଗରେ ଏହି ଜମି କିଣିବା ଆରମ୍ଭ ହୋଇଛି। ସ୍ବେଚ୍ଛାକୃତ ଭାବେ ଜମି ହସ୍ତାନ୍ତର କରିବାକୁ ପ୍ରାୟ ୩୦ରୁ ଅଧିକ ପରିବାର ଆଗ୍ରହ ପ୍ରକାଶ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ ପରିବାର ଜମି ଦେଇଛନ୍ତି। ଆଗକୁ ଅନ୍ୟ ପରିବାର ଜମି ବିକି ଅଧିକ ୧୦ ପ୍ରତିଶତ ସହାୟତା ରାଶି ନେବେ ବୋଲି ପ୍ରଶାସନ ଆଶା ରଖିଛି।

Share