ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ:ରାଜ୍ୟ ଜଣାଇଲେ ପଦକ୍ଷେପ ନେବ କେନ୍ଦ୍ର

ପୁରୀ ଅଫିସ, ୧।୩: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ଯୋଗଦେବାକୁ ଯିବା ପୂର୍ବରୁ ସକାଳେ କେନ୍ଦ୍ରମନ୍ତ୍ରୀ ପଟେଲ ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦେଖିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରିବାରେ ଯେଉଁ ଆନନ୍ଦ ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଦେଶବାସୀଙ୍କ ଉପରେ ଭଗବାନ ଏହିପରି ସର୍ବଦା ଆଶୀର୍ବାଦ ରଖିଥାନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢୁଛି। ବର୍ତ୍ତମାନ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏ କ୍ଷେତ୍ରରେ ଯଦି କୌଣସି ପ୍ରକାର ସହଯୋଗ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରନ୍ତି ତେବେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରକାଶ କରିଥିଲେ। ମନ୍ତ୍ରୀ ପଟେଲ ଦର୍ଶନ ସାରି ଫେରିଯିବାକୁ ପ୍ରସ୍ତୁତ ହେଉଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପହଞ୍ଚତ୍ଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କର ଶ୍ରୀମନ୍ଦିର ସମ୍ମୁଖରେ ସାକ୍ଷାତ ହୋଇଥିଲା।