ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ: ବାହାରିଲା ୧୧ଲକ୍ଷ ୪୬ ହଜାର ଟଙ୍କା

ପୁରୀ ଅଫିସ, ୨ା୧: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହାର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ବି ପଡ଼ିିଛି। ବୁଧବାର ହୁଣ୍ଡିରୁ ବାହାରିଛି ୧୧ ଲକ୍ଷ ୪୬ ହଜାର ୬୫୦ ଟଙ୍କା। ଏଥିସହ ୨ଗ୍ରାମ୍‌ ୨୪୦ ମିଲିଗ୍ରାମ୍‌ ସୁନା ଏବଂ ୧୧୧ ଗ୍ରାମ୍‌ ୫୦୦ ମିଲିଗ୍ରାମ୍‌ ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଟଙ୍କା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଗଣତି କରାଯାଇଥାଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ଏପରି କି ଏହି ଗଣତିକୁ ଭକ୍ତମାନେ ସିଧାସଳଖ ଶାଖା କାର୍ଯ୍ୟାଳୟ ବାହାରେ ଲାଗିଥିବା ଏଲ୍‌ଇଡିରେ ଦେଖିଥାନ୍ତି।
ସାଧାରଣ ଦିନଗୁଡ଼ିକରେ ଦେଢଲକ୍ଷରୁ ଦୁଇଲକ୍ଷ ଟଙ୍କା ହୁଣ୍ଡିରୁ ବାହାରିଥାଏ। କିନ୍ତୁ କୌଣସି ପର୍ବପର୍ବାଣି ବା ଛୁଟି ଦିନରେ ଏହି ଟଙ୍କା ପରିମାଣ ବଢିଥାଏ। କିନ୍ତୁ ନିକଟ ଅତୀତରେ ଏତେ ଟଙ୍କା ହୁଣ୍ଡିରୁ ବାହାରି ନ ଥିଲା ବେଳେ ବୁଧବାର ୧୧ଲକ୍ଷ ୪୬ ହଜାର ୬୫୦ ଟଙ୍କା ବାହାରିଛି। ଏହା କିନ୍ତୁ ସର୍ବାଧିକ ହୁଣ୍ଡି ଆୟ ନୁହେଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହାଠାରୁ ଆହୁରି ଅଧିକ ଟଙ୍କା ମିଳିଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

Share