ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏଥିରେ ଥିଲା ଆଖି ଝଲସାଇ ଦେବା ଭଳି ସୌନ୍ଦର୍ଯ୍ୟକରଣର ଚିତ୍ର। ତେବେ ଏହି ନକ୍ସା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଥିଲେ । ଯେଉଁମାନେ ଚାହିଁବେ ସେମାନେ ତାଙ୍କ ପ୍ରସ୍ତାବ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଫେବୃୟାରୀରେ ଏହାର ଚୂଡ଼ାନ୍ତ ଡିଜାଇନ ପ୍ରସ୍ତୁତ କରାଯିବା ଲାଗି ସ୍ଥିର କରାଯାଇଥିବାବେଳେ ମଙ୍ଗଳବାର ଏହାର ଅବଧି ଶେଷ ହୋଇଛି। ଅନ୍ତିମ ଦିବସରେ ପୁରୀର ଶ୍ରୀଜଗନ୍ନାଥ ସେନା ୩୩ଟି ପ୍ରସଙ୍ଗ ନେଇ ଏକ ସମ୍ବଳିତ ପ୍ରସ୍ତାବପତ୍ର ପ୍ରଦାନ କରିଛି। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ସଂକ୍ରାନ୍ତରେ ଅନେକ ଜଗନ୍ନାଥପ୍ରେମୀ ଭକ୍ତ ସେମାନଙ୍କ ମତାମତ ଦେଇଛନ୍ତି । କେବଳ ପୁରୀ କି ଓଡ଼ିଶା ନୁହେଁ ଦେଶ ବାହାରେ ରହୁଥିବା ଲୋକେ ବି ସେମାନଙ୍କ ପ୍ରସ୍ତାବ ରଖିଛନ୍ତି । ବିଶେଷକରି ମଠ, ମନ୍ଦିର ଐତିହ୍ୟର ସୁରକ୍ଷା ନେଇ ଅଧିକ ପ୍ରସ୍ତାବ ଆସିଛି । ତେବେ କେତେସଂଖ୍ୟକ ପ୍ରସ୍ତାବ ସେ ସମ୍ପର୍କରେ ଖୁବ୍‌ଶୀଘ୍ର ସ୍ପଷ୍ଟ କରାଯିବ ବୋଲି ଏହାର ନୋଡାଲ ଅଫିସର ସୁବ୍ରତ କୁମାର ବେହେରା କହିଛନ୍ତି। ବୁଧବାର ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ତାଙ୍କ ପ୍ରସ୍ତାବପତ୍ର ଦେଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ଧନ୍ୟବାଦ। ପୁରୀର ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଗୋଶାଳା, ସ୍ବର୍ଗଦ୍ୱାର, ପାର୍କିଂ, ହୋଟେଲ ଓ ଭୋଜନାଳୟ, ରାତ୍ର ଆଶ୍ରୟସ୍ଥଳୀ, ସଂଗ୍ରହାଳୟ, ଷ୍ଟାଡିୟମ୍‌, ରଙ୍ଗମଞ୍ଚ, ଲାଇବ୍ରେରି, ବେଳାଭୂମି ଆଦିକୁ ମଧ୍ୟ ବିଶ୍ୱସ୍ତରୀୟ କରାଯିବା ଦରକାର। ଏହିଭଳି ୩୩ଟି ପ୍ରସଙ୍ଗ ଉଲ୍ଲେଖ କରି ଏ ସବୁକୁ ବିଶ୍ୱସ୍ତରୀୟ କରାଗଲେ ପୁରୀ ସାମଗ୍ରିକ ଭାବେ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ସେନା ପ୍ରସ୍ତାବ ଦେଇଛି।

Share