ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଲାଗି ଦାବିପତ୍ର

ବାରିପଦା ଅଫିସ,୧୮ା୧୨- ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ। ଏହା ସହିତ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ କଟକରେ ଏସସିବି ମେଡିକାଲ କଲେଜର ପ୍ରତିଷ୍ଠା ସହ ଉଚ୍ଚ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ କଟକ ରେଭେନ୍ସା କଲେଜ ପ୍ରତିଷ୍ଠା ଲାଗି ମୟୂରଭଞ୍ଜ ରାଜକୋଷରୁ ଦାନ କରି ସେ ସମଗ୍ର ରାଜ୍ୟ ପାଇଁ ଅନନ୍ୟ ଉଦାହରଣ ପାଲଟିଛନ୍ତି। ତେବେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କ ସ୍ମୃତିି ଉଦ୍ଦେଶ୍ୟରେ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ପଦକ୍ଷେପ ନେଇ ନାହାନ୍ତି। ମଙ୍ଗଳବାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୯ ତମ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲାର ଅଣରାଜନୈତିକ ସଂଗଠନ ଭଞ୍ଜ ସେନା ପକ୍ଷରୁ ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିବାକୁ ଦାବି କରାଯାଇଛି। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପଠାଇଛନ୍ତି। ଏହି ପ୍ରତିନିଧି ଦଳରେ ସଂଯୋଜକ ରାକେଶ କୁମାର ବେହେରା, ସାଧାରଣ ସମ୍ପାଦକ ମାନସ କୁମାର ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଉପସଭାପତି ପ୍ରଶାନ୍ତ ମହାକୁଡ଼, ଅମରେଶ ସିଂ, ମୁକ୍ତି ଦତ୍ତ, ଅଭିଷେକ ମହାପାତ୍ର, ପଙ୍କଜ କରଣ, ସନାତନ ସାହୁ, ରାକେଶ ମହାନ୍ତି, ଜିତୁ ଶିବାନନ୍ଦ, ସେଖ ରାଜା ଖାନ, ସୌମ୍ୟରଞ୍ଜନ ମିଶ୍ର, ଅଭିନାଶ ଦାସ ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।