ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍‌, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…

କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ଯାହା ସବୁଠାରୁ ମାରାତ୍ମକ ଅଟେ। ଏହି ଷ୍ଟ୍ରେନ ବାୟୁକୁ ସଂକ୍ରମିତ କରୁଛି। ଯଦିଓ ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିନାହାନ୍ତି ତଥାପି ଏହି ଷ୍ଟ୍ରେନ ବାୟୁରେ ବ୍ୟାପି ଆପଣଙ୍କୁ ସଂକ୍ରମିତ କରିପାରେ।

ଶ୍ରୀଲଙ୍କାର ଜୟଓ୍ବାର୍ଡେନୁପୁରା ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜି ଏବଂ ମଲିକୁଲାର ସାଇନ୍ସ ବିଭାଗର ମୁଖ୍ୟ ନୀଲିକା ମାଲାଭିଗେ କହିଛନ୍ତି ଯେ, ଏହି ଷ୍ଟ୍ରେନ୍‌ ଅତି ସହଜରେ ଏବଂ ଖୁବ୍‌ଶୀଘ୍ର ବ୍ୟାପିଥାଏ। ଏହାର କାରଣ ହେଉଛି ଏହା ଏକ ଘଣ୍ଟା ପାଇଁ ବାୟୁରେ ସକ୍ରିୟ ରହିଥାଏ। ସେ କହିଛନ୍ତି ଯେ ଶ୍ରୀଲଙ୍କାରେ ମିଳିଥିବା ସମସ୍ତ ପ୍ରକାର ମଧ୍ୟରୁ କରୋନାର ଏହି ଷ୍ଟ୍ରେନ ସବୁଠାରୁ ମାରାତ୍ମକ ଏବଂ ଦ୍ରୁତ ବ୍ୟାପିବାରେ ଲାଗିଛି।

ଗତ ସପ୍ତାହରେ ନୂଆବର୍ଷ ଉତ୍ସବରୁ ହିଁ ନୂଆ ଷ୍ଟ୍ରେନ ବ୍ୟାପିବା ଆରମ୍ଭ ହୋଇଛି ବୋଲି ଶ୍ରୀଲଙ୍କା ସ୍ବାସ୍ଥ୍ୟ ପ୍ରଶାସନ କହିଛି। ଏହି କାରଣରୁ ଅଧିକାଂଶ ସଂକ୍ରମଣ ଯୁବକମାନଙ୍କ ମଧ୍ୟରେ ବ୍ୟାପୁଛି। ଜନସ୍ବାସ୍ଥ୍ୟ ଇନ୍ସପେକ୍ଟର ରୋହାନା କହିଛନ୍ତି ଯେ, ଆସନ୍ତା ଦୁଇ-ତିନି ସପ୍ତାହ ମଧ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇବ। ଯାହା ସଂକ୍ରମଣ ଏତେ ବୃଦ୍ଧି ପାଇବ ଯେ ତୃତୀୟ ଲହର ଆସିପାରେ।

Share