Categories: ଜାତୀୟ

ଶ୍ରୀଲଙ୍କାରେ ହେବ ସୀତାଙ୍କ ମନ୍ଦିର

ଭୋପାଳ,୨୮।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଘୋଷଣା କରିଛନ୍ତି ଶ୍ରୀଲଙ୍କାରେ ମାତା ସୀତାଙ୍କର ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯିବ। ଏହାକୁ ମଧ୍ୟପ୍ରଦେଶ ସରକାର ନିର୍ମାଣ କରିବେ। ଏଥିପାଇଁ ଶୀଘ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରର ଚୁଡାନ୍ତ ନିର୍ମାଣକାର୍ଯ୍ୟ ପାଇଁ ଚଳିତ ଆର୍ଥିକ ବର୍ଷରେ ଆବଶ୍ୟକ ଅର୍ଥ ଉବଲବ୍ଧ କରାଯିବ ବୋଲି କମଲନାଥ କହିଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଲୋକସମ୍ପର୍କ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ କମଲନାଥ ନିର୍ଦ୍ଦେଶ ଦେଇଛନ୍ତି ଏହି ମନ୍ଦିର ନିର୍ମାଣ ଲାଗି ତୁରନ୍ତ ଏକ କମିଟି ଗଠନ କରାଯିବ। ଯେଉଁଥିରେ ମଧ୍ୟପ୍ରଦେଶ ଓ ଶ୍ରୀଲଙ୍କା ସରକାରଙ୍କ ଅଧିକାରୀଙ୍କ ସହ ମହାବୋଧି ସୋସାଇଟିର ସଦସ୍ୟ ମଧ୍ୟ ସାମିଲ ହେବେ। ଏହି କମିଟି ମନ୍ଦିରର ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବେ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ସୋମବାର ମଧ୍ୟପ୍ରଦେଶର ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସହ ଆଲୋଚନା ସମୟରେ କମଲନାଥ ଏହି ମନ୍ଦିର କଥା ଆଲୋଚନା କରିଥିଲେ।

Share