Categories: ଖେଳ

ଶ୍ରୀଲଙ୍କା ଲାଗି କର ବା ମର ସ୍ଥିତି

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଗାଣିତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କାର ସେମିଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ସୋମବାର ଶ୍ରୀଲଙ୍କା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସେମି ଦୌଡ଼ାରୁ ବାଦ୍‌ ପଡିସାରିଥିବା ଓ୍ବେଷ୍ଟଇଣ୍ଡିଜକୁ ଭେଟିବ। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଟୁର୍ନାମେଣ୍ଟର ୩୯ତମ ମ୍ୟାଚ୍‌ରେ ଏହି ଦୁଇ ଦଳ ମୁହଁାମୁହିଁ ହେବେ। ଓ୍ବେଷ୍ଟଇଣ୍ଡିଜ ସେମି ଦୌଡ଼ରୁ ବାଦ୍‌ ପଡିସାରିଥିବାରୁ ଶ୍ରୀଲଙ୍କା ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ଜତିବା ଅପରିହାର୍ଯ୍ୟ ହୋଇ ପଡିଛି। ଫଳରେ ଶ୍ରୀଲଙ୍କା କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି। ଇଂଲଣ୍ଡକୁ ୨୦ ରନରେ ପରାସ୍ତ କରିବା ପରେ ଅସ୍ଥିର ପ୍ରଦର୍ଶନ କରିଆସୁଥିବା ଶ୍ରୀଲଙ୍କାକୁ ବଳ ମିଳିଛି। ତେବେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ କିନ୍ତୁ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଫଳରେ ଶ୍ରୀଲଙ୍କାର ସେମିଫାଇନାଲ ଆଶାକୁ ଶକ୍ତି ଧକ୍କା ଲାଗିଥିଲା।
୧୯୯୬ରେ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଶ୍ରୀଲଙ୍କା ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ସହ ଓ ୨ଟି ବିନା ଫଳାଫଳ ସହ ୬ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ତେଣୁ ଶ୍ରୀଲଙ୍କାକୁ ତା’ର ବାକିଥିବା ୨ଟି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ। କେବଳ ସେତିକି ନୁହଁ ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ୍‌ଗୁଡିକ ଫଳାଫଳ ଉପରେ ମଧ୍ୟ ଶ୍ରୀଲଙ୍କାର ଭାଗ୍ୟ ନିର୍ଜର କରିବ। ଦକ୍ଷିଣ ଆଫ୍ରିକାଠାରୁ ୯ ଉଇକେଟରେ ପରାସ୍ତ ହେବା ପରେ ଶ୍ରୀଲଙ୍କାର ବ୍ୟାଟିଂ ଦୁର୍ବଳତା ପୁଣିଥରେ ପଦାରେ ପଡିଛି। ଓ୍ବେଷ୍ଟଇଣ୍ଡିଜର ବୋଲି ଉଚ୍ଚକୋଟୀର ହୋଇଥିବାରୁ ଅଧିନାୟକ ଦୁମୁଥ କରୁଣାରତ୍ନେ ଦଳର ବ୍ୟାଟିଂ ପ୍ରଦର୍ଶନରେ ସୁଧାର ଆଣିବାକୁ ପ୍ରୟାସ କରିବେ। କେବଳ ସେତିକ ନୁହଁ ବୋଲିଂରେ ମଧ୍ୟ ଶ୍ରୀଲଙ୍କାକୁ ସୁଧାର ଆଣିବାକୁ ପଡିବ। ଚିକେନ ଫକ୍ସ କାରଣରୁ ଦ୍ରୁତ ବୋଲର ନୂଆନ ପ୍ରଦୀପ ଦଳରୁ ବାଦ୍‌ ପଡିଛନ୍ତି। ଅଭିଜ ଲସିଥ ମାଲିଙ୍ଗା ନେତୃତ୍ୱରେ ଶ୍ରୀଲଙ୍କା ବୋଲିଂ ବିଭାଗ ଚମକ ଦେଖାଇବ ବୋଲି ଆଶା କରାଯାଉଛି।

Share