Categories: ଖେଳ

ଶ୍ରୀଲଙ୍କା ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ, ୨୦।୯(ପି.ଟି.)- ନିୟମ ବହିର୍ଭୁତ ବୋଲିଂ ଆକ୍ସନ ପାଇଁ ଶ୍ରୀଲଙ୍କା ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୨ ମାସ ବାସନ୍ଦ କରିଛି। ତାଙ୍କ ବୋଲିଂ ଆକ୍ସନକୁ ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ତାଙ୍କ ବୋଲିଂ ଆକ୍ସନର ବୈଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଅଗଷ୍ଟ ୨୯ରେ ଚେନ୍ନାଇଠାରେ ବ୍ୟକ୍ତିଗତ ଭାବେ ତାଙ୍କ ବୋଲିଂ ଆକ୍ସନକୁ ଅନୁଧ୍ୟାନ କରାଯାଇଥିଲା। ଏଥିରେ ତାଙ୍କ ବୋଲିଂ ଆକ୍ସନ ଅବୈଧ ଥିବା ଜଣାପଡ଼ିଥିଲା। ଦନଞ୍ଜୟ ପ୍ରକୃତରେ ୨୦୧୮ ଡିସେମ୍ବରରେ ସସ୍‌ପେଣ୍ଡ ହୋଇଥିଲେ। ମାତ୍ର ପରେ ଏଥିରେ ପରିବର୍ତ୍ତନ ଆଣିବା ଲାଗି ପରାମର୍ଶ ଦିଆଯିବା ସହ ୨୦୧୯ ଫେବୃୟାରୀରେ ତାଙ୍କୁ ବୋଲିଂ କରିବାକୁ ଅନୁମତି ଦିଆଯାଇଥିଲା। ‘ଗତ ୨ ବର୍ଷ ମଧ୍ୟରେ ଦନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ୨ ଥର ରିପୋର୍ଟ ହୋଇଛି। ପ୍ରଥମେ ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିବାବେଳେ ଏବେ ସ୍ବାଭାବିକ ଭାବେ ୧୨ ମାସ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି“ ବୋଲି ଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଏକ ବର୍ଷ ବାସନ୍ଦ ପରେ ଦନଞ୍ଜୟ ତାଙ୍କ ବୋଲିଂ ଆକ୍ସନର ପୁନଃ ସମୀକ୍ଷା ପାଇଁ ଆଇସିସି ନିକଟରେ ଆବେଦନ କରିପାରିବେ।

Share