Categories: ଖେଳ

ଶ୍ରୀଲଙ୍କା ୩-୦ରେ ସିରିଜ ଜିତିଲା

ପାଲିକେଲ୍‌ (ଶ୍ରୀଲଙ୍କା), ୨ା୩ (ଏପି)- ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ୪ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଏଠାରେ ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୬ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୩୦୭ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଟପ୍‌ ସ୍କୋରର କୁଶାଲ ମେଣ୍ଡିସ ୪୮ ବଲ୍‌ରୁ ୫୫ ରନ କରିଥିଲେ। ଧନଞ୍ଜୟ ଡି’ସିଲ୍‌ଭା ୫୧ ବଲ୍‌ରୁ ୪୭ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ସିମ୍‌ ବୋଲର ଅଲ୍‌ଜାରି ଯୋଶେଫ ୬୫ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟରେ ୩୦୧ ରନ କରି ମ୍ୟାଚ ହାରିଯାଇଥିଲା। ଶାଇ ହୋପ୍‌ ୮୮ ବଲ୍‌ରୁ ୭୨ ରନ କରିଥିଲେ। ଓପନର ସୁନୀଲ ଆମ୍ବ୍ରିସ ୬୦ ବଲ୍‌ରୁ ୬୦ ରନ ଏବଂ ନିକୋଲାସ ପୁରନ ୫୦ ରନ କରିଥିଲେ। ମାଥ୍ୟୁସ ତାଙ୍କ ୧୦ ଓଭର ବୋଲିଂରେ ୪ ଉଇକେଟ ବିନିମୟରେ ୫୯ ରନ କରିଥିଲେ। ଶ୍ରୀଲଙ୍କା ପ୍ରଥମ ଦିନିକିଆକୁ ଏକ ଉଇକେଟ ଏବଂ ଦ୍ୱିତୀୟ ମ୍ୟାଚ ୧୬୧ ରନରେ ଜିତିଥିଲା।

Share