ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଜମି ଉଦ୍ଧାର ପାଇଁ ପ୍ରୟାସ: ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ୧୪୪ ଧାରା ଜାରି

ପୁରୁଣା ଭୁବନେଶ୍ୱର, ୩୧। ୭ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ରୋକ ଲାଗିଛି। ମିଳିଥିବା ଖବର ମୁତାବକ, ନୂଆଗଁା ମୌଜା, ଖାତା ନଂ. ୪୩୭, ପ୍ଲଟ ନଂ. ୧୧୮, ଚକ ନଂ. ୮୧ରେ ଶ୍ରୀଲିଙ୍ଗରାଜଙ୍କ ନାମରେ ଥିବା ଏ ୨.୬୩୦ ଡ଼ିସିମିଲ ଜମି ଉପରେ ଏହି ରୋକ ଲଗାଯାଇଛି। ୩୧୬ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗଙ୍ଗୁଆ ବ୍ରିଜ୍‌ କଡ଼ରେ ଠାକୁରଙ୍କ ଏହି ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଅଧିକ ହେବ। ତେବେ ରାଜସ୍ବ ବିଭାଗର ତଳିଆ କର୍ମଚାରୀଙ୍କୁ ହାତ ପେଞ୍ଚ କରି ଏଠାରେ ଜବରଦସ୍ତ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଜଣେ ବ୍ୟକ୍ତି କଂକ୍ର୍ରିଟ କାର୍ଯ୍ୟ ଜୋରସୋର ଚଳାଇଥିଲେ। ଏପରିକି ଗ୍ରାଉଣ୍ଡ ଫ୍ଲୋର ଛାତ ପକେଇବା ପରେ ଅନ୍ୟକାର୍ଯ୍ୟ ଦ୍ରୁତଗତିରେ ଚାଲିଥିଲା। ଖବରପାଇ ଏହି ଜମିର ମାର୍ଫତଦାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ତପତ୍ରତା ଦେଖା ଦେଇଥିଲା। ଏ ନେଇ ବୋର୍ଡ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲା। ତେଣୁ ତାଙ୍କ ନିର୍ଦ୍ଦେଶରେ ବୋର୍ଡ ପକ୍ଷରୁ ଏକ କ୍ରିମିନାଲ ମିଶକେସ୍‌ ନଂ. ୧୧୬୨/୧୯ ସିଆରପିସିରେ ୧୪୪ ଧାରା ଅନୁଯାୟୀ ରହିତାଦେଶ ଜାରି କରିଛନ୍ତି। ମଙ୍ଗଳବାର ଏହାକୁ ଭିତ୍ତିକରି ନିର୍ମାଣରୁ ବିରତ ରହିବାକୁ କୋର୍ଟ ଆଦେଶ ପ୍ରଦାନ କରିଥିଲେ। ତେଣୁ କୋର୍ଟଙ୍କ ଆଦେଶକୁ କାର୍ଯ୍ୟ କରିବା ପୂର୍ବକ ମନ୍ଦିର ପ୍ରଶାସନ ପକ୍ଷରୁ ଧଉଳି ଏବଂ ଲିଙ୍ଗରାଜ ଥାନାରେ ଏହି ଆଦେଶ ପାଳନ ନିମନ୍ତେ ଅବଗତ କରାଯାଇଛି। ସୂଚନାଥାଉ କି ଶ୍ରୀଲିଙ୍ଗରାଜଙ୍କର ଉକ୍ତ ପ୍ଲଟ ସଂଲଗ୍ନ ଆହୁରି ୧୦ ଏକରରୁ ଊର୍ଦ୍ଧ୍ୱ ଜମି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି। ସେହିଭଳି ଠାକୁରଙ୍କ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ଯିଏ ଯେଉଁଠି ପାରିଲା ବେଆଇନ ନିର୍ମାଣ କରି ଠାକୁରଙ୍କ ଜମିକୁ ନିଜ ଦଖଲକୁ ନେବାକୁ ଏଭଳି ଦୁଃସାହସିକ ପଦକ୍ଷେପ ନେଉଛନ୍ତି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କ ପ୍ରଚ୍ଛଦପଟରେ ସହଯୋଗର ହାତ ରହିଛି। ନଚେତ୍‌ କୋଟି କୋଟି ଟଙ୍କାର ଠାକୁରଙ୍କ ଏହି ସମ୍ପତ୍ତିରେ ମନମୁଖି ଭାବେ ଟଙ୍କା ଖର୍ଚ୍ଚ କରି ନିର୍ମାଣ କାର୍ଯ୍ୟ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନ ଥାନ୍ତେ। ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ଜମିକୁ ଜବରଦଖଲ ମୁକ୍ତ କରିବାର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

Share