ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହେବ। ଆସନ୍ତା ୨୬ ତାରିଖଠାରୁ ଠାକୁରଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଥାନ୍ତା। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଗାଇଡଲାଇନ୍‌ ଅନୁସାରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବା ଅସମ୍ଭବ। ସାମାଜିକ ଦୂରତା ଅନୁଯାୟୀ ମାତ୍ର ୫ ଜଣ ଯାତ୍ରାରେ ଯିବାକୁ ଗାଇଡ ଲାଇନ୍‌ ରହିଛି। ହେଲେ ଚନ୍ଦନ ଯାତ୍ରା ପାଇଁ ଅତିକମ୍‌ରେ ୧୨ ଘରିଆ ନାଉରିଆ ସେବାୟତ, ପାଳିଆ ସେବାୟତ, ଛତ୍ରୀ ଛତା, ମସାଲଧାରୀ ଓ ଅନ୍ୟ ସେବାୟତ ଉପସ୍ଥିତ ଜରୁରୀ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ ଲାଇନକୁ ସମସ୍ତ ନିଯୋଗକୁ ପଠାଇ ସହମତି ମାଗିଥିଲେ। ମାତ୍ର ଏହି ସହମତିରେ କୌଣସି ସବୁଜ ସଙ୍କେତ ମିଳି ନ ଥିଲା। ଫଳରେ ନିର୍ଦ୍ଦେଶନାମା ଜାରି କରାଯାଇ ଚନ୍ଦନଯାତ୍ରାକୁ ବନ୍ଦ କରି ଦିଆଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି।

Share