ଶ୍ରୀଲିଙ୍ଗରାଜଙ୍କ ଜବରଦଖଲ ଜମି ଉଚ୍ଛେଦ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର: ସିବିଆଇ ତଦନ୍ତ ଦାବି କଲା ଏକାମ୍ର ଜନଜାଗରଣ ମଞ୍ଚ

ପୁରୁଣା ଭୁବନେଶ୍ୱର, ୧୩। ୧୧ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏକର ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ଶହ ଶହ ଏକରରୁ ହାତଗଣତି କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ବଞ୍ଚତ୍ ରହିଥିବା ଭୂସମ୍ପତ୍ତି ଉପରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏହି ଜବରଦଖଲକୁ ଉଚ୍ଛେଦ କରିବା ପୂର୍ବକ ତୁରନ୍ତ ଜବରଦଖଲକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ମଞ୍ଚର ଅଧ୍ୟକ୍ଷ ଭୀଷ୍ମନାରାୟଣ ନାୟକଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ପ୍ରାୟ ୧୫ ମିନିଟ୍‌ ଆଲୋଚନା କରିବା ପରେ ଦାବିପତ୍ର ଦେଇଥିଲେ। ଠାକୁରଙ୍କ ବିଭିନ୍ନ ଜବରଦଖଲ ଜମି ମଧ୍ୟରେ ଭୀମପୁର ମୌଜାଠାରେ ଥିବା ୨. ୩୫୬ ଏକରକୁ ତତ୍‌କାଳୀନ ଦେବୋତ୍ତର ଆୟୁକ୍ତଙ୍କ ଆଦେଶରେ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ଖବର ଜଣାପଡିବା ପରେ ବିରୋଧ କରାଯାଇଥିଲା। ମାତ୍ର ଏଠାରେ ବିଭିନ୍ନ ବିରୋଧ ସତ୍ତ୍ୱେ ପ୍ରଭାବଶାଳୀ ରାଜନେତା ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଜମି ଠାକୁରଙ୍କ ତହବିଲକୁ ଫେରିବା ପାଇଁ କୌଣସି ଶୁଭ ସଙ୍କେତ ଦେଖାଯାଉନାହିଁ। ଏହାକୁ ସିବିଆଇ ତଦନ୍ତ କରାଗଲେ ଏଥିରେ ବିଭାଗୀୟ ଅଧିକାରୀଙ୍କ ଚଞ୍ଚକତା ସ୍ପଷ୍ଟ ବାରି ହେବ ବୋଲି ମଞ୍ଚ କହିଛି। ଖାଲି ଏତିକି ନୁହେଁ କାଳୀକା ଦେବୀ ମନ୍ଦିର ନିକଟ, ବୈତାଳେଶ୍ୱର ମନ୍ଦିର ନିକଟ, ଭବାନୀ ମନ୍ଦିର ନିକଟ, ଶ୍ରୀପଞ୍ଚମୀ ପଡିଆ, ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱ, ଗଙ୍ଗୁଆ ବ୍ରିଜର ବାମପାର୍ଶ୍ୱ ଆଦି ଅଞ୍ଚଳରୁ ଜବରଦଖଲ ହଟେଇବା ସହ ତୁରନ୍ତ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ରକୁ ରାଜ୍ୟପାଳ ଲିଗାଲ ଅଥରେଟିଙ୍କୁ ପ୍ରଦାନ କରିଛନ୍ତି। ଘଟଣାକୁ ବିଧାନସଭାର ପ୍ରଶ୍ନକାଳରେ ଉପସ୍ଥାପନ କରିବା ପାଇଁ ମଞ୍ଚ ପ୍ରସ୍ତୁତ ରହିଛି ବୋଲି କୁହାଯାଇଛି। ଜଗତ ଚନ୍ଦ୍ର ଦାଶ, ଦିବ୍ୟଜ୍ୟୋତି ମହାନ୍ତି, ସୁଲତା ସାହାଣି ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Share