ଶ୍ରୀଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ମାପଚୁପ

ପୁରୁଣା ଭୁବନେଶ୍ୱର,୬ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ, ବିକାଶ କାମ ଜାରି ରହିଛି। ହେଲେ ଠାକୁରଙ୍କ ବହୁସ୍ଥାନରେ ଥିବା ଜମିକୁ ଜବରଦଖଲକାରୀମାନେ କବ୍‌ଜାରେ ରଖଛନ୍ତି। ଏହି ଭୂସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡିଆ, ପୁରୁଣା କାଞ୍ଜିଆ ହୁହା, ଭୀମଟାଙ୍ଗୀ ଆନ୍ନିହାଉସ ନିକଟ କେତେକ ଅଞ୍ଚଳରେ ମନ୍ଦିର ଜମି ଉପରେ ଗଢି ଉଠିଛି ବ୍ୟବସାୟ ପ୍ରତିଷ୍ଠାନ ଓ ମଣ୍ଡପ। ପ୍ରଶାସନ ପକ୍ଷରୁ ଏହାର ମାପଚୁପ ଆରମ୍ଭ ହୋଇଛି। କେତେକ କ୍ଷେତ୍ରରେ ସରକାରୀ ରେକର୍ଡଭୁକ୍ତ ରାସ୍ତାଗୁଡିକୁ ମଧ୍ୟ ଜବରଦଖଲ ହୋଇଥିବା ମାପଚୁପ କରିଥିବା ଅମିନ କହିଛନ୍ତି। ସେହିପରି ମୂଳା ପଡିଆ ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସରକାରୀ ଓ ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣ ହୋଇଛି। ୨୦୧୨ରୁ ମୂଳା ପଡିଆ ନିକଟରେ ବିଏମ୍‌ସି ପକ୍ଷରୁ କେତେକ ଯୋଜନା କରାଯାଇଥିଲେ ମଧ୍ୟ ଜବରଦଖଲ ସମସ୍ୟା ଯୋଗୁ ଉନ୍ନୟନ କାମ କରାଯାଇ ପାରୁନାହିଁ। ସେହିପରି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ରହିଥିବା ଜମି ଉପରେ ଅବୈଧ ମଣ୍ଡପ ଓ ବ୍ୟବସାୟ ପ୍ରତିଷ୍ଠାନ ଚାଲୁଥିଲେ ମଧ୍ୟ ଠାକୁରଙ୍କ ପାଣ୍ଠିକୁ ଟଙ୍କାଟିଏ ଆସୁନାହିଁ। ଭୀମଟଙ୍ଗୀ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଆବାସିକ ଯୋଜନାରେ ଗୃହ ନିର୍ମାଣ କରାଯାଇ ବିକ୍ରି କରାଯାଇଛି। ପରବର୍ତ୍ତୀ ସମୟରେ ଏହି କଲୋନିବାସୀଙ୍କ ଆନୁଷଙ୍ଗିକ ସୁବିଧା ନେଇ ଥିବା ସରକାରୀ ଜମି ସହ ଶ୍ରୀଲିଙ୍ଗରାଜଙ୍କ ଜମିଗୁଡିକ ମଧ୍ୟ ଅବୈଧ ଭାବେ ବହୁ ଲୋକ ଜବରଦଖଲ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଏହି ସମ୍ପତ୍ତି ସହ ଅନ୍ୟ ସରକାରୀ ଜମିଗୁଡିକୁ ସର୍ବସାଧାରଣଙ୍କ ହିତ ଓ ଠାକୁରଙ୍କ ଆୟ ବୃଦ୍ଧି ନେଇ ଦଖଲ ମୁକ୍ତ କରାଯିବା କାମ ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ସରକାରୀ ଓ ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲରୁ ମୁକ୍ତ କରାଯିବା ନେଇ ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ବିଭିନ୍ନ ଅଞ୍ଚଳରେ ଜାରି ରହିଛି। ମାତ୍ର ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର, ଶ୍ରୀରାମନଗର ଓ ଭୀମଟାଙ୍ଗୀ ଆଦି ଅଞ୍ଚଳରେ ଯଦି କେଉଁଠାରୁ ଅଭିଯୋଗ ଆସେ ନିଶ୍ଚୟ ଉଚ୍ଛେଦ କରାଯିବ। ଏଥିରେ କୌଣସି ପାତରଅନ୍ତର କରିବାର ପ୍ରଶ୍ନ ଉଠୁନାହିଁ। ଯେହେତୁ ବିକାଶମୂଳକ କାର୍ଯ୍ୟରେ ଜବରଦଖଲ ଓ ଅବୈଧ ନିର୍ମାଣ ବାଧକ ସାଜୁଛି, ତେଣୁ ଏଗୁଡିକୁ ଉଚ୍ଛେଦ ଆବଶ୍ୟକ ବୋଲି ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ପଟ୍ଟନାୟକ କହିଥିଲେ।

Share