ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡରେ ନିଯୁକ୍ତି ପ୍ରସଙ୍ଗ:ଘୁଞ୍ଚୁଛି ଦିନ: ଆଶା ଆଶଙ୍କାରେ ଆବେଦନକାରୀ

ପୁରୁଣା ଭୁବନେଶ୍ୱର,୧ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ରହିଛି। ତେବେ ଅନେକ ସମୟରେ ବୋର୍ଡ଼ର ବେପରୁଆ କାର୍ଯ୍ୟକଳାପ ପାଇଁ ଠାକୁରଙ୍କ ତହବିଲରୁ ଅଯଥା ଅର୍ଥ ବ୍ୟୟ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡରେ ନିଯୁକ୍ତି ଲାଗି ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ନ ହେବାରୁ ଆଶା ଆଶଙ୍କାରେ ଆବେଦନକାରୀ ରହିଛନ୍ତି।
ତରବରିଆ ଭାବେ ନିର୍ଦ୍ଦିଷ୍ଟ ସ୍ବାର୍ଥ ରଖି ସ୍ଥିର କରୁଥିବା ବିଭିନ୍ନ ଯୋଜନା ଅଧାପନ୍ତରିଆ ହୋଇ ପଡ଼ି ରହିଥିବାବେଳେ ବୋର୍ଡ଼ ଏଥିପାଇଁ ହଜାର ହଜାର ଟଙ୍କା କ୍ଷତି ସହୁଛି। ଏଭଳି ଏକ ଉଦାହରଣ ହେଉଛି ଦେଢବର୍ଷ ତଳେ କାର୍ଯ୍ୟାଳୟରେ ନୂତନ ପଦବୀ ନିଯୁକ୍ତ ପାଇଁ ଟ୍ରଷ୍ଟ ବୋର୍ଡ଼ରେ ସ୍ଥିର ହୋଇଥିଲା। ଏଥିପାଇଁ ଖବରକାଗଜରେ ହଜାର ହଜାର ଟଙ୍କା ବ୍ୟୟରେ ବିଜ୍ଞାପନ ମଧ୍ୟ ପ୍ରକାଶିତ କରିଥିଲା। ସମସ୍ତ ପଦବୀ ପାଇଁ ଆବେଦନକାରୀମାନେ ଆବେଦନ କରିଥିଲେ। ଏହାର ଦେଢବର୍ଷ ପରେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ବୋର୍ଡ଼ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଆବେଦନ କରୁଥିବା ଆବେଦନକାରୀମାନେ ନିଜର ନିଯୁକ୍ତି ନେଇ ଆଶଙ୍କାରେ ରହିଛନ୍ତି। କ’ଣ ପାଇଁ ନିଯୁକ୍ତି ଦିନ ଘୁଞ୍ଚୁଛି ଏବଂ କାହାର ପ୍ରରୋଚନାରେ ବୋର୍ଡ଼ ଏଥିପ୍ରତି ନୀରବ ରହୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ବିଭାଗରେ କାର୍ଯ୍ୟ ଚଳାଇଛନ୍ତି। ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, ଟ୍ରଷ୍ଟବୋର୍ଡ଼ରେ ସ୍ଥିର ହୋଇ ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା। ହେଲେ ଏହାର ପ୍ରକୃତ ନିଯୁକ୍ତି ପଦ୍ଧତି ଉପରେ ଆକଳନ ହୋଇ ପାରି ନ ଥିଲା। ଏ ନେଇ ସମସ୍ତ କାଗଜପତ୍ର ଜିଲାପାଳଙ୍କ ନିକଟରେ ପୈଠ କରାଯାଇଛି। ସେଠାରୁ ନିଯୁକ୍ତି ପଦ୍ଧତି ଆସିଲେ ବୋର୍ଡ଼ ତାହା କାର୍ଯ୍ୟକାରୀ କରିବ।

Share