ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା କୁକୁର: ନୀତି ବିଳମ୍ବ ନେଇ ନିଜକୁ ଦାୟୀ କଲା ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୨୮।୯(ଡି.ଏନ.ଏ.): ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁକୁର ପଶି ଆସିବା ନେଇ ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ଏଏସ୍‌ଆଇ ନିଜକୁ ଦାୟୀ କରିଛି।
ଖବର ମୁତାବକ, ଦିନ ୧୦ଟା ୧୦ରେ ଶ୍ରୀଜୀଉଙ୍କ ମାଘସ୍ନାନ ପାଇଁ ପ୍ରସ୍ତୁତି ଚାଲିଥିଲା। ଉତ୍ତର ଦ୍ୱାର ଦେଇ ଏକ କୁକୁର ମା’ ଭୁବନେଶ୍ୱରୀ ମନ୍ଦିରକୁ ପଶିଥିଲା। ଏହା ଦେଖି ସେବାୟତମାନେ କୁକୁରକୁ ଘଉଡ଼ାଇଥିଲେ। ମାତ୍ର ଠାକୁରଙ୍କ ନୀତିକାନ୍ତିରେ ମାରା ଯୋଗୁ ବିଳମ୍ବ ହୋଇଥିଲା। ପରେ ମନ୍ଦିରର ବଡ ଧୋକାଳ ନୀତି ଆରମ୍ଭ ହୋଇଥିଲା। ମହାସୁଆର ସେବାୟତଙ୍କର ଯେତେକ ଭୋଗ, ଦିଅଁଙ୍କ କୋଠଭୋଗ ସହ ସମସ୍ତ ବରାଦୀ ଭୋଗକୁ ଅମୁଣିହା କୂଅରେ ପକାଯାଇଥିଲା। ପରେ ମନ୍ଦିର ବେଢାରେ ଚୂନପାଣି ପକାଯାଇ ସମସ୍ତ ଦେବଦେବୀଙ୍କୁ ପଞ୍ଚାମୃତରେ ମାଘସ୍ନାନ କରାଯାଇ ଶୁଦ୍ଧ କରାଯାଇଥିଲା। ପରେ ରୋଷ ଯୋଗାଡ କରାଯାଇଥିଲା। ଏହାପରେ ବଡ ଧୋକାଳ କରାଯାଇ ପୁନର୍ବାର ରୋଷ ହୋମ ସମ୍ପନ୍ନ ହୋଇଥିଲା। ପର୍ଯ୍ୟାୟ କ୍ରମେ ଶ୍ରୀଜୀଉଙ୍କ ସମସ୍ତ ନୀତି ଆରମ୍ଭ ହୋଇଥିଲା। ସୂଚନା ଥାଉ କି ସକାଳ ଧୂପ ଦିନ ୧୨ଟାରେ ସମାପନ ହେବାକୁ ଥିବାବେଳେ ଅପରାହ୍ନ ସାଢେ ୪ଟାରେ ଏହି ଧୂପ ହୋଇଥିଲା। ଏ ନେଇ ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁ କୁହନ୍ତି, ଉତ୍ତର ଦ୍ୱାରରେ ଏଏସ୍‌ଆଇର କର୍ମଚାରୀ କାମ କରୁଥିବା ବେଳେ ଦ୍ୱାର ଖୋଲା ରଖିଥିବା ଯୋଗୁ କୁକୁରଟି ପଶି ଆସିଥିଲା।

Share