ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଏହା କହିଛନ୍ତି ବିଏମ୍‌ସି କମିଶନର। ଉଚ୍ଛେଦ ନେଇ ଗଠିତ ୧୦ଜଣିଆ କମିଟି ସହ ବୈଠକ ପରେ କମିଶନର ଏହି ସୂଚନା ଦେଇଛନ୍ତି। ସ୍ଥିତିବାନ ସମ୍ପତ୍ତି ଯାହାର ରହିଛି, ସେଥିପାଇଁ ଆଇନ ଅନୁଯାୟୀ ବ୍ୟବସ୍ଥା କରାଯିବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ବୁଧବାର ସୁଦ୍ଧା ଥଇଥାନର ବ୍ୟବସ୍ଥା କରାଯିବ। ଉଚ୍ଛେଦ ପରବର୍ତ୍ତୀ ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।

ଅପରପକ୍ଷେ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। କେବଳ ସେମାନଙ୍କ ସହ ମୌଖିକ ଆଲୋଚନା କରାଯାଇଛି। କୌଣସି ଲିଖିତ ପ୍ରତିଶ୍ରୁତି ଦିଆଯାଇନାହିଁ। ମନ୍ଦିର ସୌନ୍ଦର୍ଯ୍ୟକରଣ ବ୍ଲୁ ପ୍ରିଣ୍ଟ୍‌ ବିଏମ୍‌ସି କମିଶନର ଦେବେ। ୨ରୁ ୩ ଦିନ ମଧ୍ୟରେ ଏହାକୁ ସାର୍ବଜନୀନ କରିବାକୁ କମିଶନର ପ୍ରତିଶ୍ରୁତି ଦେଇଥିବା ବିରଞ୍ଚି କହିଛନ୍ତି।
ସୂଚନାଯୋଗ୍ୟ, କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀକୁ ପ୍ରଥମେ ଥଇଥାନ କରିବା ସହ ନକ୍ସାକୁ ସର୍ବସାଧାରଣରେ ପ୍ରକାଶ କର ବୋଲି ନାରା ଦେଇ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ। ଫଳରେ ଦ୍ୱିତୀୟ ଦିନରେ ଉଚ୍ଛେଦ ହୋଇପାରି ନ ଥିଲା। ତିବ୍ର ବିରୋଧ ଓ ମେଳିକୁ ଦେଖି ପ୍ରଶାସନ ପକ୍ଷରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

Share