ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଆଜିଠୁ ପୁଣି ଉଚ୍ଛେଦ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶର୍‌ବରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ। ଯେପର୍ଯ୍ୟନ୍ତ ସମସ୍ତ ଚିହ୍ନଟ ଜବରଦଖଲଗୁଡ଼ିକୁ ହଟା ନ ଯାଇଛି ସେପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଜବରଦଖଲ ସ୍ଥାନ ଚିହ୍ନଟ ହୋଇଛି। ସେ ସମସ୍ତ ଜବରଦଖଲଗୁଡ଼ିକୁ ହଟାଯିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ ସୋମବାରଠାରୁ ପୁଣି ଉଚ୍ଛେଦ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ ହେବା ଦିନଠାରୁ ବିରୋଧ ହୋଇଚାଲିଛି। ଦ୍ୱିତୀୟ ଦିନରେ ଧାରଣା କାରଣରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା। କିନ୍ତୁ ବିଏମ୍‌ସି କମିଶନର ଚୌଧାରୀଙ୍କ ସହ ଆଲୋଚନା ପରେ ଉଚ୍ଛେଦ କାର୍ଯ୍ୟ ପୁଣିଥରେ ଜାରି ରହିଥିଲା। ଏଯାବତ୍‌ ମୋଟ ୪ଦିନ ଉଚ୍ଛେଦ ହୋଇଥିବାବେଳେ ଉଚ୍ଛେଦର ୪୦ ପ୍ରତିଶତ କାର୍ଯ୍ୟ ସରିଛି ଆଉ ୬୦ ପ୍ରତିଶତ କାର୍ଯ୍ୟ ବାକି ଅଛି। ମୁଖ୍ୟତଃ ବଡ଼ ବଡ଼ ଉଚ୍ଛେଦ ଏଯାବତ୍‌ ହୋଇ ନାହିଁ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି।

Share