ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦ କାଉଡ଼ିଆ ଶ୍ରୀଲୋକନାଥଙ୍କୁ ଜଳ ଲାଗି କରିଛନ୍ତି। ତେବେ ରବିବାର ରାତିରେ ଲଗାଣ ବର୍ଷା ଯୋଗୁ ବୋଲବମ୍‌ ଭକ୍ତମାନେ ହଇରାଣ ହୋଇଥିବାବେଳେ ମନ୍ଦିର ବେଢାରେ ପାଣି ଜମିଥିଲା।
ରବିବାର ସନ୍ଧ୍ୟା ପରଠାରୁ ବ୍ୟାରିକେଡରେ ଧାଡ଼ି ଲଗାଇଥିଲେ କାଉଡ଼ିଆ। ରାତି ୧୦ଟା ବେଳକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଧାଡ଼ି ଲମ୍ବିଥିଲା। ଶୃଙ୍ଖଳିତ ଜଳଲାଗି ପାଇଁ ରବିବାର ରାତି ୧୨ଟା ୫ରେ ଦ୍ୱାର ଫିଟାଯାଇଥିଲା। ୧୨ଟା ୩୫ରୁ ପାଣି ଢାଳିବା ଆରମ୍ଭ ହୋଇଥିଲା। ବ୍ୟାରିକେଡ ମଧ୍ୟ ଦେଇ ପାର୍ବତୀ ସାଗର କଡ଼େ କଡେ ଯାଇଥିଲେ କାଉଡ଼ିଆ। ରୋଷଘର ଦୁଆର ମୁହଁରେ ପ୍ରବେଶ କରି ନାଟାମ୍ବର ମନ୍ଦିର ପଛପଟେ ଯାଇ ଲକ୍ଷ୍ମୀଙ୍କ ଦ୍ୱାରରେ ସ୍ଥାପିତ ପ୍ରଭୁ ଶ୍ରୀଲୋକନାଥଙ୍କ ଲିଙ୍ଗରେ ପାଣି ଢାଳିଥିଲେ। ଏହାପରେ ସେମାନେ ସିଂହଦ୍ୱାର ପଟେ ବାହାରକୁ ବାହାରିଥିଲେ।
ଏ ସମ୍ପର୍କରେ ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ା କୁହନ୍ତି, ରବିବାର ଅପରାହ୍ନରୁ କାଉଡ଼ିଆମାନଙ୍କ ଆଗମନ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ବହୁ ସଂଖ୍ୟାରେ କାଉଡ଼ିଆ ବ୍ୟାରିକେଡରେ ଲାଇନରେ ରହିଥିଲେ। ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ରାତି ୧୨ଟା ୫ରେ ଦ୍ୱାର ଫିଟିବା ପରେ ୧୨ଟା ୩୫ରୁ ଜଳଲାଗି ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ନିୟୋଜିତ ହୋଇଥିଲେ। ଉପଜିଲାପାଳ ଭବତାରଣ ସାହୁ ଘଟଣାସ୍ଥଳକୁ ଯାଇ ଜଳ ଲାଗି କିପରି ଶୃଙ୍ଖଳାର ସହ କରାଯିବ ତାହାର ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ସୋମବାର ୩୨,୩୦୦ ଟିକେଟ୍‌ ବିକ୍ରି ହୋଇଥିଲା ଏବଂ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ କାଉଡ଼ିଆ ଜଳ ଲାଗି କରିଥିଲେ ବୋଲି ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରବିବାର ରାତି ପ୍ରାୟ ୯ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଦେଢ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷିବାରୁ ଲୋକନାଥ ମନ୍ଦିର ବେଢାରେ ପାଣି ଜମିଯାଇଥିଲା। କାଉଡ଼ିଆମାନଙ୍କ ସୁରକ୍ଷିତ ଜଳ ଲାଗି ପାଇଁ ରାତି ପ୍ରାୟ ୧୧ଟାରେ ଅଗ୍ନିଶମବାହିନୀ କର୍ମଚାରୀମାନେ ୨ଟି ମୋଟର ଲଗାଇ ପାଣି ନିଷ୍କାସନ କରିଥିଲେ। ପ୍ରାୟ ୧ଘଣ୍ଟା ପରେ ପାଣି ନିଷ୍କାସିତ ହୋଇଯାଇଥିଲା।

Share