ଶ୍ରୀଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ଲୋକ ମହୋତ୍ସବ

ବଣାଇ, ୨୭ା୯(ସ୍ବ.ପ୍ର.) : ସ୍ଥାନୀୟ ରାଜା ଧରଣୀଧର ଖେଳ ପଡିଆ ଠାରେ ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ନବମ ଲୋକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇ ଉପଖଣ୍ଡର ୪ଟି ବ୍ଲକରୁ ୫ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ କଳାକାର ଯୋଗଦେଇଥିଲେ। ପ୍ରାରମ୍ଭରେ ବାବା ବାଣେଶ୍ୱର ମନ୍ଦିରରୁ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉତ୍ସବ ସ୍ଥଳରେ ପହଞ୍ଚି ଥିଲା। ଶୋଭାଯାତ୍ରାରେ ସମସ୍ତ କଳାକାର ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବଣାଇ ଉପଜିଲାପାଳ ପ୍ରଦୀପ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କଳାକାରମାନଙ୍କର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା କରାଯିବା ସହିତ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ଅସହାୟ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଏହାକୁ ଆହୁରି ବ୍ୟାପକ କରିବା ସହିତ ଯେମିତି ଭାବେ ସମସ୍ତ ଦୁସ୍ଥ କଳାକାର ସରକାରୀ ସହାୟତା ପାଇପାରିବେ ଏବଂ ଗ୍ରାମାଞ୍ଚଳରେ ଥିବା ଭାଗବତ ଟୁଙ୍ଗିର ବିକାଶ ହୋଇପାରିବ ସେଥିପାଇଁ ଚେଷ୍ଟା ଓ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକ ମହୋତ୍ସବରେ ଶ୍ରୀଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ସଭାପତି ଖଗେଶ୍ୱର ବାରିକ ସଭାପତିତ୍ୱ କରିଥିଲେ। ପଦ୍ମଲୋଚନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କଳାପରିଷଦର ସମ୍ପାଦକ ହୃଦାନନ୍ଦ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୁରୀରୁ ଆସିଥିବା ଗଜପତି ଦିବ୍ୟ ସିଂଦେବଙ୍କ ରାଜପୁରୋହିତ ସୂର୍ଯ୍ୟନାରାୟଣ ଦାଶଙ୍କୁ ଶ୍ରୀଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦ ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ରଜନୀକାନ୍ତ ଦଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ।