ପୁରୁଣା ଭୁବନେଶ୍ୱର, ୧୦।୧୨(ଡି.ଏନ.ଏ): ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କ୍ଷୁଦ୍ର ବ୍ୟବସାୟୀ ଉଠା ଦୋକାନୀମାନଙ୍କୁ ପ୍ରଥମେ ଥଇଥାନ କରିବା ପାଇଁ ଯେଉଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି, ତାହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି ହୋଇଛି। ଏନେଇ ମଙ୍ଗଳବାର ସକାଳ ୮ଟାରୁ ୧୧ ଯାଏ ଭାଜପା, କଂଗ୍ରେସ, ବ୍ୟବସାୟୀ ସଂଘ ଏବଂ ସାମାଜିକ ସଂଗଠନ କର୍ମକର୍ତ୍ତା ଏକତ୍ର ହୋଇ ଶ୍ରୀ ଲିଙ୍ଗରାଜ ଥାନା ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ। ବିଏମସି ଅଧକାରୀଙ୍କ ସହ ଆସନ୍ତା ବୁଧବାର ଧାରଣାରତ ସଦସ୍ୟ ମଧ୍ୟରୁ ୫ ଜଣିଆ ପ୍ରତିନିଧି ଦଳ ଆଲୋଚନା ହେବା ପରେ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।