ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବାହ୍ନରେ ୨ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବିଷାକ୍ତ ପଦାର୍ଥ ସେବନ କରି ଶ୍ରେଣୀ ଗୃହରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟାଳୟ ବଦନାମ ହେବା ଆଶଙ୍କାରେ ଘଟଣାକୁ ଚାପି ଦିଆଯାଇଥିବା ଜଣାପଡିଛି। ପାଠ ଚାପରେ ଦୁଇ ଛାତ୍ର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
ମିଳିଥିବା ସୂଚନାନୁସାରେ, ପୂଜା ଛୁଟି ପୂର୍ବରୁ ଶିକ୍ଷକମାନେ ପିଲାମାନଙ୍କୁ ହୋମ୍‌ ଟ୍ୟାକ୍ସ ଦେଇଥିଲେ। ଉକ୍ତ ଦୁଇଜଣ ଛାତ୍ର ଦିଆଯାଇଥିବା ପାଠ କରିନେ ଥିଲେ। ମଙ୍ଗଳବାର ସ୍କୁଲ୍‌ ଖୋଲିଥିଲେ ମଧ୍ୟ ଜଣେ ଛାତ୍ର ଆସି ନ ଥିଲେ। ପରିବାର ଲୋକଙ୍କ ଚାପରେ ସେ ବୁଧବାର ସ୍କୁଲକୁ ଆସିଥିଲେ। ପ୍ରଥମ କ୍ଲାସ ଆରମ୍ଭବେଳକୁ ଛାତ୍ର ଜଣକ ଅଚେତ ହୋଇ ପଡିଥିଲେ। ପାଖରେ ବସିଥିବା ସେହି ଗଁ।ର ଆଉଜଣେ ଛାତ୍ର ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଣେ ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛାତ୍ର ଜଣକ ବିଷାକ୍ତ ପଦାର୍ଥ ସେବନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଛାତ୍ରଙ୍କ ବ୍ୟାଗ୍‌ରୁ ଶିକ୍ଷକମାନେ ବିଷାକ୍ତ ପଦାର୍ଥ ଜବତ କରିଛନ୍ତି। ଜଣେ ଶିକ୍ଷକ କହିଛନ୍ତି, ପାଠ ଭୟରେ ଛାତ୍ର ଜଣକ ସର୍ବଦା ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି।

Share