ଶ୍ରେଣୀଗୃହରେ ଶିକ୍ଷକ ଶୋଇଥିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୩୧।୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଚଳିତ ଶିକ୍ଷା ବର୍ଷରେ ବିବାଦ ବ୍ଲକ ଶିକ୍ଷା ବିଭାଗର ପିଛା ଛାଡୁନି। ବିଦ୍ୟାଳୟରେ ଶିକ୍ଷକ ଶୋଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଦୁର୍ଗମ ଅଞ୍ଚଳ ପର୍ତ୍ତମାହା ପଞ୍ଚାୟତ ଝିମାବାଡ଼ି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା। ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ୧୮ ଜଣ ଛାତ୍ରୀଛାତ୍ର ଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଏବେ ଅଞ୍ଚଳରେ ଏହି ବିଦ୍ୟାଳୟର ଏକ ଭିଡିଓ ଭାଇରାଲ ହୋଇଛି। ବିଦ୍ୟାଳୟର ଜଣେ ଗଣଶିକ୍ଷକ ଚୌକିରେ ବସି ଶୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ର ଶିକ୍ଷକଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସେ ନ ଉଠିବାରୁ ପାଠ ନ ପଢ଼ି ଶିକ୍ଷକ ଶୋଇଥିବାବେଳେ ସ୍କୁଲ ଛାଡ଼ି ଘରକୁ ଚାଲିଯାଉଛନ୍ତି। ଶିକ୍ଷକ ଜଣକ ନିଦରେ ଶୋଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି ା ଏହାକୁ ନେଇ ସିଆର୍‌ସିସି ହରିଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଏନେଇ ସେ ତଦନ୍ତ କରୁଛନ୍ତି। ଘଟଣାରେ ସତ୍ୟତା ରହିଛି। ଭିଡିଓଟି ଗତ ଶୁକ୍ରବାରର ବୋଲି ସେ କହିଛନ୍ତି। ଶୀଘ୍ର ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଯେ, କାର୍ଯ୍ୟରେ ଅନିୟମିତତା ନେଇ ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତର ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ, ସୋନପୁର ପଞ୍ଚାୟତ ଦବେଡ଼ି ବିଦ୍ୟାଳୟ ଓ ଲକଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଦରମା ବିଇଓ ବନ୍ଦ କରିଛନ୍ତି।

Share