ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରିରେ ଆକ୍ରମଣ

ନିଆଳି, ୨ା୭(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ବିନିଶିପୁର ପଞ୍ଚାୟତ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ପାଠପଢ଼ା ଚାଲିଥିବାବେଳେ ଆତଙ୍କ ଖେଳିଯାଇଥିଲା। କାରଣ ବିଭୂତି ମହାନ୍ତି(୪୩) ନାମକ ଜଣେ ଯୁବକ କଟୁରି ଧରି ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀ ଶୁଚିସ୍ମିତା ମୁଦୁଲିଙ୍କୁ ହାଣି ପକାଇଥିଲେ। ଏଥିରେ ଶୁଚିସ୍ମିତାଙ୍କ ଦୁଇହାତ, ମୁଣ୍ଡ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଆହତ ଶିକ୍ଷୟିତ୍ରୀଙ୍କ ଖୁଡୀ ନିଆଳି ଥାନାରେ ପୃଥକ୍‌ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ. ୧୫୩/୧୯) ରୁଜୁ କରି ଆକ୍ରମଣକାରୀ ବିଭୂତିଙ୍କୁ ଥାନାରେ ଅଟକ ରଖିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ ଶୁଚିସ୍ମିତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରେଣୀଗୃହରେ ଅଚେତ ହୋଇପଡିଥିଲେ। ଛାତ୍ରୀଛାତ୍ରମାନେ ଆତଙ୍କିତ ହୋଇ ଚିତ୍କାର କରିବାରୁ ଘଟଣାସ୍ଥଳରେ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକମାନେ ପହଞ୍ଚି ଯାଇଥିଲେ। ଏମାନଙ୍କୁ ଦେଖି ବିଭୂତି ଦୌଡି ପଳାଇଯାଇଥିଲେ। ଶୁଚିସ୍ମିତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚାରିଛକ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଚାରିଛକ ବଜାରରେ ବିଭୂତିଙ୍କୁ ଲୋକମାନେ କାବୁ କରିବା ସହ ନିର୍ଧୂମ ପିଟିଥିଲେ। ପୋଲିସ ପହଞ୍ଚି ବିଭୂତିଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତି, ବିଭୂତି କାହିଁକି ଆକ୍ରମଣ କଲେ ସେ ସମ୍ପର୍କରେ ଜଣାପଡିନାହଁି। ତାଙ୍କୁ ପଚରାଉଚରା କରାଯାଉଛି।

Share