Advertisement

ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି କି ଶ୍ରେଣୀଗୃହରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ବିଶ୍ୱବିଦ୍ୟାଳୟ ଆଇଟିଏମ ବିଭାଗ ଶ୍ରେଣୀଗୃହର ଛାତରୁ ବାରମ୍ବାର ସିଲିଂ ଖସୁଛି। ଏ ନେଇ ବହୁବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହେଲେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇନାହିଁ। ଫଳରେ ବୁଧବାର ଲଗାଣ ବର୍ଷା ଯୋଗୁ ଛାତରେ ଥିବା ବିମ୍‌ରୁ ପ୍ଲାଷ୍ଟର ଖସିବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। କେବଳ ଶ୍ରେଣୀଗୃହର ଛାତରୁ ନୁହେଁ ବିଭାଗର ଲ୍ୟାବ୍‌ରୁ ମଧ୍ୟ ସିଲିଂର ଖସିଛି। ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରମାମାନେ କ୍ଲାସ କରୁଛନ୍ତି। ଅଧିକ ବର୍ଷା ହେଲେ ପାଠପଢା ସମ୍ପର୍ଣ୍ଣ ଭାବେ ବନ୍ଦ ହୋଇଯାଉଛି। ଏ ନେଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରିଚୟ ଗୋପନ ରଖି କହିଛନ୍ତି, ଶ୍ରେଣୀଗୃହ ବର୍ତ୍ତମାନ ବିପଜ୍ଜନକ ଅବସ୍ଥାରେ ରହିଛି। ବହୁବାର ଛାତରୁ ପ୍ଲାଷ୍ଟର ଖସି ସାରିଲାଣି। କ୍ଲାସ ଭିତରକୁ ପ୍ରବେଶ କରିବାକୁ ଡର ଲାଗୁଛି। ଏପରି କି ସାମାନ୍ୟ ବର୍ଷାରେ ମଧ୍ୟ ଶ୍ରେଣୀଗୃହରେ ପାଣି ଜମି ରହୁଛି। ସେହିପରି ବିଭାଗର ଜଣେ ଛାତ୍ରୀ ପରିଚୟ ଗୋପନ ରଖି କହିଛନ୍ତି, ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଏବେ ଅସୁରକ୍ଷିତ। ବିଭାଗର ସମସ୍ତ ଛାତର ଅବସ୍ଥା ଅତି ଶୋଚନୀୟ। ଅନେକ କ୍ଲାସକୁ ମଧ୍ୟ ବାତିଲ କରିଦିଆଯାଉଛି। ଫଳରେ ପାଠପଢାରେ ଅସୁବିଧା ହେଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାସ କୁହନ୍ତି, ଶ୍ରେଣୀଗୃହ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ହେବା ଫଳରେ ମରାମତି କାର୍ଯ୍ୟରେ ବାଧା ଉପୁଜୁଛି। ପାଗରେ ପରିବର୍ତ୍ତନ ଆସିଲେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୦ଦିନ ମଧ୍ୟରେ ଶେଷ କରାଯିବ। ସୂଚନାଯୋଗ୍ୟ, କିଛିଦିନ ତଳେ ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଷୁଡ଼ିଥିଲା। ହେଲେ ସୌଭାଗ୍ୟ ବଶତଃ କୌଣସି ବଡ଼ ଧରଣର ବିପତ୍ତି ଘଟି ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share