Categories: ଖେଳ

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ

ନୂଆଦିଲ୍ଲୀ,୨୮।୭(ପି.ଟି.): ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ୪୭ତମ ସ୍ଥାନରେ ରହିଛନ୍ତି। ଦେଶର ଅଗ୍ରଣୀ ଇଂଲିଶ ପତ୍ରିକା ‘ଇଣ୍ଡିଆ ଟୁଡେ’ ତା’ର ଅଗଷ୍ଟ ସଂସ୍କରଣରେ ଏହି ତାଲିକା ପ୍ରକାଶିତ କରିଛି। ଚଳିତବର୍ଷ ଅନୁଷ୍ଠିତ ୨୦୧୮ ଏସିଆନ୍‌ ଗେମ୍ସ ଓ ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ କରି ଦୂତୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବୋଲି କୁହାଯାଇଛି।
ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଭାବେ ଦୂତୀଙ୍କୁ ଏହି ପତ୍ରିକା ସମ୍ବୋଧନ କରିଛି। ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହିତ ଦ୍ୱିତୀୟ ଭାରତୀୟ ଭାବେ ଦୂତୀ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ଉଲ୍ଲେଖ କରିଛି। ଶିଳ୍ପପତି ମୁକେଶ ଅମ୍ବାନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ମୁକେଶ ଏବେ ୫୦ ବିଲିୟନ ଆମେରିକୀୟ ଡଲାର ବା ୩.୪୫ ଲକ୍ଷ କୋଟି ଟଙ୍କାର ମାଲିକ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ଦେଶର ଅନ୍ୟତମ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା ଓ ରତନ ଟାଟା ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ସପ୍ତମ ଓ ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ନବମ ସ୍ଥାନରେ ରହିଛନ୍ତି।

ପାଇବେନି ଅର୍ଜୁନ ପୁରସ୍କାର

ଅର୍ଜୁନ ପୁରସ୍କାର ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଏବଂ ଖେଳରତ୍ନ ପୁରସ୍କାର ଲାଗି କ୍ରିକେଟର ହରଭଜନ ସିଂଙ୍କ ପ୍ରାର୍ଥୀତ୍ୱକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଦେଇଛି। ରାଜ୍ୟ ସରକାର ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି।

Share