ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ
ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର ପୁସ୍ତକ ‘ମାଟିହାଣ୍ଡି’ ଓ ‘କାଠଚୁଲି’ କବିତା ପୁସ୍ତକ ଉନ୍ମୋଚିତ ହେବ।
ଚା ଖଟିରେ ବସି ହୁଙ୍କାପିଟା ଶୁଣ୍ଠା ଦାସଙ୍କୁ ତାଙ୍କ ଉନ୍ମୋଚନ ଉତ୍ସବର କାହାଣୀ ବର୍ଣ୍ଣନା କରୁ କରୁ କହିଲେ-ହେ! ଆଗକୁ ଏ ପୁସ୍ତକ ଉନ୍ମୋଚନକୁ ଲକ୍ଷେ ଜୁହାର। କବିତା ବହି ଉପରେ ବକ୍ତାମାନେ ଭାଷଣ ଦେଇ ଚାଲିଲା ବେଳେ ଶ୍ରୋତା ମହଲରେ ଶୁଖୁଆ ହାଟର ଆଦି ପର୍ବ। ଅନେକ ଗପଟପରେ ବ୍ୟସ୍ତ ଥିବାବେଳେ, ଆଉ କେତେକ ମୋବାଇଲରେ ଟିପ ଚାଳନାରେ ବ୍ୟସ୍ତ। ପ୍ୟାକେଟ ଲୋଭରେ ସାହିତ୍ୟ ସଦନ ଭିତରକୁ ଅନୁପ୍ରବେଶ କରିଥିବା କେତେକ ବ୍ୟକ୍ତି ପଛରୁ ଖାଲି ପ୍ୟାକେଟ ପ୍ୟାକେଟ ବୋଲି ପାଟି କରୁଥାନ୍ତି। ଧନ୍ୟବାଦ ଅର୍ପଣ ଯାଏ ତର ସହିଲା ନାହିଁ। ବାଧ୍ୟ ହୋଇ ପ୍ୟାକେଟ ବଣ୍ଟାଗଲା। ଶେଷ ବକ୍ତା ଜଣକ ରକ୍ତଚାଉଳ ଚୋବାଉଥିଲେ। ପ୍ୟାକେଟ ନେଇ ଯିଏ ଯୁଆଡେ ପାର। ବିଚରା ଧନ୍ୟବାଦ ଅର୍ପଣ କରିବାକୁ ଥିବା ବ୍ୟକ୍ତିଟି କେବଳ ଧନ୍ୟବାଦ କହି ଆସନ ତ୍ୟାଗ କଲେ।
ଶୁଣ୍ଠା ଦାସ ଏମନ୍ତ କଥା ଶୁଣି କହିଲେ- ଏ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ପଡିବ। ଘଟଣା ଏମିତି ଘଟିଯାଉଛି ଯେ ନିମନ୍ତ୍ରଣପତ୍ରରେ ମଧ୍ୟାହ୍ନଭୋଜନ କିମ୍ବା ସାରେ ଜଳଖିଆ ପ୍ୟାକେଟର ମେନୁ ନ ଦେଲେ ଶ୍ରୋତା ଆସୁନାହାନ୍ତି। ମଞ୍ଚରେ କେତେଜଣ ଅତିଥି ଶ୍ରୋତା ମହଲରେ ହାତଗଣତି କେତେଜଣ ଶ୍ରୋତା। ବାକି ଚଉକି ସବୁ ଶ୍ରୋତାଙ୍କ ଓଜନ ଭାରରୁ ରକ୍ଷା ପାଇ ନିଜକୁ ପରମ ସୌଭାଗ୍ୟ ମନେ କରୁଥାନ୍ତି। ମୋ ନାଁ ଶୁଣ୍ଠା ଦାସ। ମୋ ନାମର ଯଥାର୍ଥତା ମୁଁ ନିଶ୍ଚୟ ମାଟିହାଣ୍ଡି କାଠଚୁଲି ଲୋକାର୍ପଣରେ ପ୍ରମାଣିତ କରିବି।
ଦୁଇ ବନ୍ଧୁ ଖଟିରୁ ବିଦାୟ ନେଲେ। ଶୁଣ୍ଠା ଦାସ ଉନ୍ମୋଚନ ଉତ୍ସବର ନିମନ୍ତ୍ରଣ ପତ୍ର ବାଣ୍ଟି ସେହି ସୁଦିନକୁ ଅପେକ୍ଷା କରି ରହିଲେ।
ଶୁଣ୍ଠା ଦାସଙ୍କ ମାଟି ହାଣ୍ଡି ଓ କାଠଚୁଲି ପୁସ୍ତକ ଉନ୍ମୋଚନର ସମସ୍ତ ଅତିଥି ଠିକଣା ସମୟରେ ଉପସ୍ଥିତ ଥିଲେ। ନିମନ୍ତ୍ରଣ ପତ୍ରରେ ରାଜାମାର୍କା ଜଳଖିଆ ପ୍ୟାକେଟ କଥା ଉଲ୍ଲେଖ ଥିବାରୁ ସଦନରେ ଶ୍ରୋତା ଭରପୂର। କେବଳ ପ୍ୟାକେଟ ପାଇଁ ଆସୁଥିବା ଦର୍ଶକମାନଙ୍କ ସଂଖ୍ୟା ସେଦିନ ବି ଅଧିକ ଥିଲା।
ଶୁଣ୍ଠା ଦାସଙ୍କ ମାଟିହାଣ୍ଡି ଓ କାଠଚୁଲି ପୁସ୍ତକ ଉନ୍ମୋଚନ ଏକ ଅଭିନବ ଢଙ୍ଗରେ ହୋଇଥିଲା। ଗୋଟିଏ ମାଟି ହାଣ୍ଡିରେ ବହିଗୁଡିକ ରଖାଯାଇ ଶିକାରେ ଲଟକାଇ ଦିଆଯାଇଥିଲା। ଉନ୍ମୋଚନ ବେଳେ ଉନ୍ମୋଚକ ସର୍ବଗିଳା ଶେଷ୍ଢ କାଠଫାଳିଆଟାଏ ଧରି ସେ ହାଣ୍ଡିକୁ ଏମିତି ପାହାରେ ଦେଲେ ହାଣ୍ଡି ନବଖଣ୍ଡ। ପୁସ୍ତକଗୁଡିକ ତଳେ ପଡି ଏକଠାବେ ହୋଇଗଲେ ରୁଣ୍ଡ। ସେ ବହିକୁ ଅତିଥିମାନେ ହାତରେ ଧରି ପୋଜ୍‌ ନେଲେ। ଫଟୋ ଉଠିଲା।
ଏତିକିବେଳେ ଦୁଇଟି ବଡ ବଡ କାଗଜ କାର୍ଟୁନ ପେଟି ମଞ୍ଚ ତଳେ ଟେବୁଲ ପାଖରେ ଲଗାଇ ରଖାଯାଇଥିଲା। ପ୍ୟାକେଟ ବିକିଳିଆ ଶ୍ରୋତା ଓ ଦର୍ଶକ ସେହି କାର୍ଟୁନକୁ ଦେଖି ଦେଖି ସମୟ ଅତିବାହିତ କରୁଥାନ୍ତି। ମଝିରେ ପ୍ୟାକେଟ ପ୍ୟାକେଟ ପାଟି ହେବାରୁ ଶୁଣ୍ଠା ଦାସ ମାଇକିରେ ଟିପାମାରି ହ୍ୟାଲୋ ହ୍ୟାଲୋ କରି କହିଲେ, ସଭାଶେଷରେ ପ୍ୟାକେଟ ଦିଆଯିବ। ଯେଉଁମାନେ ବ୍ୟସ୍ତ ଓ ବିବ୍ରତ ସେମାନେ ସ୍ଥାନ ଛାଡି ଚାଲିଯାଇପାରନ୍ତି। କେହି ସ୍ଥାନ ଛାଡିଲେ ନାହିଁ। ଶେଷରେ ଶୁଣ୍ଠା ଦାସ ଘୋଷଣା କଲେ ଅତି ଦୁଃଖର ସହିତ ମୋତେ କହିବାକୁ ପଡୁଛି-ଗତକାଲିର ବଳି ପଡିଥିବା ବାସି ଜଳଖିଆକୁ ଦୋକାନୀ ଦେଇ ମୋତେ ଚିତା କାଟିଛି। ମୁଁ କାହାର ସ୍ବାସ୍ଥ୍ୟ ବିଗାଡିବାକୁ ଦେବି ନାହିଁ। ଚାଲନ୍ତୁ ସେ ଜଳଖିଆ ଦୋକାନ ଆଗରେ ଧାରଣା ଦେବା। ଏହା ଶୁଣି ଶୁଣ୍ଠାଠାରୁ ଆଉ କ’ଣ ଆଶା କରାଯାଇପାରେ ବୋଲି କହି ଲୋକେ ସ୍ଥାନ ଛାଡିଲେ। ବାସ୍ତବିକ ସେଥିରେ ଜଳଖିଆ ପ୍ୟାକେଟ ନ ଥିଲା। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଥିଲା କେତେଖଣ୍ଡ ଇଟା।
ଶୈଳ ନିବାସ, ଏଫ-୧୮୦, ସେକ୍ଟର-୭, ସିଡିଏ, କଟକ, ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri