ଶ୍ୱଶୁରଘରୁ ବାଇକ୍‌ ଚୋରି ମାମଲାରେ ଜ୍ୱାଇଁ ଗଲେ ଜେଲ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଖାଇବା ପରେ ବିଲ୍‌ ପଇଠ ନ କରି ଫେରାର ହୋଇଯାଉଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ହୋଟେଲ କର୍ମଚାରୀମାନେ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ଆପରାଧିକ ରେକର୍ଡ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ଅସଲ ମୁଖା ଖୋଲିଯାଇଥିଲା। ଶ୍ୱଶୁର ଘରୁ ବାଇକ ଚୋରି ମାମଲାରେ ଫେରାର ଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ହାଟବଜାର ଅଞ୍ଚଳର ପି. ପ୍ରସନ୍ନ ରାଓ (୩୯)।
ସୂଚନା ମୁତାବକ, ସୋମବାର ଶହୀଦନଗର ଥାନାଞ୍ଚଳରେ ଥିବା ଏକ ହୋଟେଲର ବିଲ ପଇଠ ନ କରି ଅଭିଯୁକ୍ତ ପ୍ରସନ୍ନ ଫେରାର ହେଉଥିବାବେଳେ ଧରାପଡ଼ିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସତ୍ୟ ସାମ୍ନାକୁ ଆସିଥିଲା। ସେ ରାଜଧାନୀରେ ଏକାଧିକ ତାରକା ହୋଟେଲରେ ଖାଇବା ପରେ ବିଲ ପଇଠ ନ କରି ଫେରାର ହୋଇଯାଉଥିଲେ। ଅନ୍ୟପକ୍ଷରେ ୨୦୧୩ରେ ସ୍ତ୍ରୀଙ୍କ ମଧ୍ୟରେ ଝଗଡାକୁ କେନ୍ଦ୍ରକରି କୋର୍ଟରେ ଛାଡପତ୍ର ଆବେଦନ ହୋଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପ୍ରସନ୍ନ ଶ୍ୱଶୁର ଘରୁ ଏକ ବାଇକ୍‌ (ଓଡି ୦୨ କେ ୦୩୧୫) ନେଇ ଫେରାର ହୋଇଯାଇଥିଲେ। ଶାଶୁ ପି. ରେଣୁ ଦୋରାଙ୍କ ଅଭିଯୋଗକ୍ରମେ ପୋଲିସ ୫୨୬/୧୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗିରଫ ପ୍ରସନ୍ନଙ୍କୁ ପଚରାଉଚରା ପରେ କୋର୍ଟଚାଲାଣ କରିଥିଲା ପୋଲିସ। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share