ଶ୍ୱଶୁରଙ୍କୁ ଆକ୍ରମଣ ମାମଲା, ବୋହୂ ଗଲେ ଜେଲ

ଦିଗପହଣ୍ଡି,୨୩ା୧୦(ଡି.ଏନ.ଏ.): ଶ୍ୱଶୁରଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁରର ରୀନା କୁମାରୀ ସାହୁଙ୍କୁ ବୁଧବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସନ୍ଧ୍ୟାରେ ରୀନାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇଯାଇଛି। ଏ ନେଇ ନଂ. ୧୯୯/୧୯ରେ ମାମଲା ରୁଜୁ ହୋଇଛି।
ତଦନ୍ତକାରୀ ପୋଲିସ ଅଧିକାରୀ ଏଏସ୍‌ଆଇ କ୍ଷୀରୋଦ କୁମାର ବେହେରାଙ୍କ ସୂଚନା ପ୍ରକାରେ, ଗତ ୧୦ ତାରିଖରେ ରିନାଙ୍କ ଶ୍ୱଶୁର ଗାଣ୍ଡୁ ସାହୁ ଘର ବାରଣ୍ଡାରେ ବସିଥିବା ବେଳେ ରୀନା ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଶ୍ୱଶୁରଙ୍କୁ ଧକ୍କା ମାରିଥିଲେ। ଫଳରେ ତାଙ୍କ ଚଷମା ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ କପାଳରେ ଆଘାତ ଲାଗିଥିଲା। ପାଟି ଶୁଣି ସମସ୍ତ ପୁଅ ଓ ପଡ଼ୋଶୀ ଆସିବାରୁ ରୀନା ସେମାନଙ୍କୁ ଧମକ ଦେଇଥିଲେ। ଗାଣ୍ଡୁ କେ.ନୂଆଗାଁ ଥାନାରେ ପହଞ୍ଚତ୍ ବୋହୁଙ୍କ ବିରୋଧରେ ଏତଲା ଦେଇଥିଲେ। ଗାଁ ଭଦ୍ର ଲୋକ ପାରିବାରିକ ବିବାଦର ସମାଧାନ ପାଇଁ ସଭା କରିଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦରେ ଅଟଳ ରହିବାରୁ କୌଣସି ନିଷ୍ପତ୍ତି ହୋଇପାରିନଥିଲା ବୋଲି ପୋଲିସ କହିଛି।

Share