ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ

ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ବାଗଲପୁରର ପ୍ରସନ୍ନଜିତ ପ୍ରଧାନ(୨୩)। ପାହାଳ ଫାଣ୍ଡି ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପ୍ରସନ୍ନଜିତ ଗତ ୬ମାସ ତଳେ ବାଲିଅନ୍ତା ଥାନା ଅଧୀନ ଜୟରଶାସନ ଗାଁର କାହ୍ନୁଚରଣ ଦାସଙ୍କ ଝିଅ କବିତାଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ପ୍ରସନ୍ନଜିତ ସ୍ତ୍ରୀଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲେ। ଏ ନେଇ କବିତା ବାପଘରକୁ ଜଣାଇବା ପରେ ବାପା କାହ୍ନୁଚରଣ ସପ୍ତାହ ତଳେ ଝିଅଙ୍କୁ ନିଜଘରକୁ ନେଇ ଆସିଥିଲେ। ଗତ ସୋମବାର ସନ୍ଧ୍ୟାରେ ପ୍ରସନ୍ନଜିତ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ଶ୍ୱଶୁର ତାଙ୍କ ସହିତ ଝିଅକୁ ଛାଡ଼ିବାକୁ ରାଜି ହୋଇ ନ ଥିଲେ। ଏଥିରେ ପ୍ରସନ୍ନଜିତ ଉତ୍‌କ୍ଷିପ୍ତ ହୋଇ ଆଣିଥିବା ଏକ ବନ୍ଧୁକ ଦେଖାଇ କବିତାଙ୍କୁ ନ ଛାଡିଲେ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଜାଣିବା ପରେ ଜ୍ୱାଇଁଙ୍କୁ ଗାଁ ଦାଣ୍ଡରେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ପାହାଳ ଫାଣ୍ଡି ପୋଲିସ ପହଞ୍ଚତ୍ ପ୍ରସନ୍ନଜିତଙ୍କୁ ଫାଣ୍ଡିକୁ ଆଣିବା ସହ ବାଲିଅନ୍ତା ପୋଲିସକୁ ଜଣାଇଥିଲା। ଏ ନେଇ ଶ୍ୱଶୁର ଥାନାରେ ଅଭିଯୋଗ କରିବା ପରେ ମାମଲା ୨୨୪/୧୯ନଂ. ଦଫା ୩୪୧, ୨୯୪, ୫୦୬ ଓ ୨୫/୨୭ ଆର୍ମ ଆକ୍ଟରେ ରୁଜୁ ହୋଇଥିଲା। ପୋଲିସ ପ୍ରସନ୍ନଜିତଙ୍କ ଠାରୁ ଏକ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ୨ଟି ମାଗାଜିନ ଜବତ କରିଛି।