ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା

ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା। ହରିୟାଣାରେ ଏଭଳି ଘଟଣା ଘଟିବା ପରେ ପରିବାର ଲୋକେ ୩ ଦିନ ହେଲା ଷଣ୍ଢକୁ ଜଗି ରହିଛନ୍ତି। ତାକୁ ସ୍ବାଦିଷ୍ଠ ଖାଦ୍ୟ ଦେବା ସହ ଜଗିରହିଛନ୍ତି। କେତେବେଳେ ଷଣ୍ଢ ମଳତ୍ୟାଗ କରିବ ଓ ସେମାନେ ସୁନା ଗହଣା ପାଇବେ, ତାକୁ ସେମାନେ ଅପେକ୍ଷା କରିଛନ୍ତି। ଅଳିଆ ଆବର୍ଜନା ସହ ଅଜାଣତରେ ଏହାକୁ ଫିଙ୍ଗି ଦିଆଯାଇଥିଲା। ପରେ ବହୁ ଖୋଜାଖୋଜି କରି ନିକଟରେ ଥିବା ସିସିଟିଭି ଫୁଟେଜ୍‌ର ସହାୟତା ନିଆଯାଇଥିଲା। ଜନକରାଜ୍‌ ନାମକ ଜଣେ ସ୍ଥାନୀୟ ଯୁବକ ସୁନାଗହଣାକୁ ରୋଷେଇ ଘରେ ରଖିଥିବାବେଳେ ଏହାକୁ ଅଳିଆ ଭାବି ଫିଙ୍ଗିଦେଇଥିଲେ ବୋଲି ଜଣାପଡ଼ିଛି। ଫିଙ୍ଗାଯାଇଥିବା ସ୍ଥାନରୁ ଏକ କାନଫୁଲ ମଧ୍ୟ ମିଳିଛି। ସେହି ସ୍ଥାନରେ ଏକ ଷଣ୍ଢ କିଛି ଖାଉଥିବାର ଦୃଶ୍ୟ ସିସିଟିଭିରେ ଦେଖିବା ପରେ ସୁନାଗହଣାକୁ ସେ ଖାଇଥିବା ଜଣାପଡ଼ିଥିଲା। ଉକ୍ତ ଷଣ୍ଢକୁ ଖୋଜିବା ଲାଗି ସେମାନଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା। ପରିବାର ଲୋକେ ଷଣ୍ଢଟିକୁ ଆଣି ଘରେ ରଖିଛନ୍ତି। ଷଣ୍ଢ ମଳତ୍ୟାଗ କଲେ ସୁନାଗହଣା ମିଳିଯିବ ବୋଲି ଭାବି ସେମାନେ ତାକୁ ସ୍ବାଦିଷ୍ଠ ଖାଦ୍ୟ ଖାଇବାକୁ ଦେଉଛନ୍ତି।

Share