Categories: ଜାତୀୟ

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମତଦାନ ଶାନ୍ତିପୂର୍ଣ୍ଣ ଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଡିଆର୍‌ ତିଓ୍ବାରୀ କହିଛନ୍ତି।

ଅପରାହ୍ନ ୫ଟା ସୁଦ୍ଧା ୫୩.୩୧ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ। ଯୋଗୀ ଗୋରଖପୁର ଅର୍ବାନରୁ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଲଲ୍ଲୁ ତମକୁହି ରାଜରୁ, ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଫାଜିଲନଗରରୁ ଏବଂ ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧରୀ ବଂଶଡିହ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ, ମୌଳିକ ଶିକ୍ଷାମନ୍ତ୍ରୀ ସତୀଶ ଦ୍ୱିବେଦୀ, ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧୁରୀ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ୍‌ପ୍ରକାଶ ରାଜଭର, ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ ପ୍ରମୁଖ ସେମାନଙ୍କ ବୁଥ୍‌କୁ ଯାଇ ଭୋଟ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ଭାଜପା ଉକ୍ତ ୫୭ ଆସନରୁ ୪୬ଟିରେ ବିଜୟୀ ହୋଇଥିଲା।

Share