ଷ୍ଟକ୍‌ ଯାଞ୍ଚ ପରେ ଅନ୍‌ଲାଇନରେ ହେବ ମଦ ବୁକିଂ: ଗସ୍ତ ବାବଦ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ପ୍ରାପ୍ୟ

କେନ୍ଦୁଝର, ୨୫।୫(ସ୍ବ.ପ୍ର.): ସରକାର ମଦ ବିକ୍ରି ଉପରେ ଥିବା କରୋନା କଟକଣାକୁ କୋହଳ କରିଛନ୍ତି। କେବଳ ଅନ୍‌ଲାଇନରେ ମଦ ବିକ୍ରି ହେବ ବୋଲି ଘୋଷଣା ହୋଇଛି। ଫଳରେ ସୋମବାର ଅବକାରୀ ବିଭାଗ ପକ୍ଷରୁ କେନ୍ଦୁଝର ଜିଲା ମଦ ଦୋକାନ ଗୁଡ଼ିକରେ ଷ୍ଟକ ଯାଞ୍ଚ ଆରମ୍ଭ ହୋଇଛି। ଷ୍ଟକ ଯାଞ୍ଚ ପରେ ପ୍ରତ୍ୟେକ ମଦ ଦୋକାନୀ ପକ୍ଷରୁ ଡେଲିଭରି ପାଇଁ ନିଯୁକ୍ତ କର୍ମଚାରୀଙ୍କ ନାମ ଓ ଫୋନ୍‌ ନମ୍ବର ଘୋଷଣା ହେବ। ଅବକାରୀ ବିଭାଗ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଲୋକେ ଅନଲାଇନ ବା ଫୋନ ଯୋଗେ ମଦ ବୁକିଂ କରିପାରିବେ। ଗୋଟିଏ ଓଳି ବୁକିଂ ହେଲେ, ଅନ୍ୟ ଓଳି ମଦ ଡେଲିଭରି ହେବ। ଏଥିପାଇଁ ଅବକାରୀ ଓ ପୋଲିସ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରେ ଉକ୍ତ କର୍ମଚାରୀ ଘରକୁ ଯାଇ ମଦ ଦେଇ ପଇସା ଆଣିବେ। ଡେଲିଭରି ସମୟରେ ମଦ ଦାମ ସହିତ ଦୂରତ୍ୱ ମୁତାବକ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଗସ୍ତ ବାବଦକୁ ପ୍ରାପ୍ୟ ଅର୍ଥ ଦେବାକୁ ପଡ଼ିବ। ମଦର ସର୍ବାଧିକ ମୂଲ୍ୟ ସହିତ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଦେବାକୁ ପଡ଼ିବ। ସୋମବାର ମଦ ଦୋକାନରେ ବହୁ ଗ୍ରାହକ ପହଞ୍ଚିଥିଲେ ହେଁ ଅନ୍‌ଲାଇନରେ ମିଳିବା ନେଇ ଜାଣିବା ପରେ ଅନେକ ନିରାଶ ହୋଇ ଫେରିଛନ୍ତି ।

Share