ଡାରୋନ୍ ଆକେମୋଗ୍ଲୁ
ବ୍ରିଟେନର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛିି। କିନ୍ତୁ ଆର୍ଥିକ ସମସ୍ୟା ଦୂରକରିବାକୁ ପ୍ରଧାନମନ୍ତ୍ରୀ କିର୍ ଷ୍ଟର୍ମରଙ୍କ ସାମର୍ଥ୍ୟ ଉପରେ ଏହା ଦୀର୍ଘ ସମୟ ନିର୍ଭରଶୀଳ ହେବ କି ନାହିଁ ତାହା ହିଁ ପ୍ରଶ୍ନ। ହେଲେ ଏହା ପୂରଣ କରିବା ଅତ୍ୟନ୍ତ କଷ୍ଟକର। କଞ୍ଜରଭେଟିଭ ପାର୍ଟିର ସମର୍ଥକମାନେ ସେମାନଙ୍କର ଶ୍ରେୟ ପାଇଁ ପରାଜୟ ଗ୍ରହଣକରି ବି ଗଣତନ୍ତ୍ର ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ୍ ଭୋଟ ଗଣନା ଶେଷହେବା ପୂର୍ବରୁ ମଧ୍ୟ ଷ୍ଟର୍ମରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଏଭଳି କରିବାର ଏକ ପରିସ୍ଥିତି ଉପରେ କଳ୍ପନା କରିବା ଅସମ୍ଭବ। ଅନେକ ରିପବ୍ଲିକାନ୍ ଏହି ନଭେମ୍ବରରେ କୌଣସି ନିର୍ବାଚନୀ ପରାଜୟକୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ବ୍ରିଟେନ୍ର ଦୃଷ୍ଟାନ୍ତ ଆମକୁ ମନେପକାଇଦିଏ ଯେ ଆମେ ଏପରି ଆଚରଣକୁ ସାଧାରଣ ମନେକରିବା ଉଚିତ ନୁହେଁ। ଆମେରିକାର ଗଣମାଧ୍ୟମ ଏବଂ ନାଗରିକ ସମାଜର କର୍ତ୍ତବ୍ୟ ହେଉଛି ଟ୍ରମ୍ପ ଏବଂ ତାଙ୍କ ସହଯୋଗୀଙ୍କ ଗଣତାନ୍ତ୍ରିକ ବିରୋଧୀ ଆଚରଣକୁ ପ୍ରତି ମୁହୂର୍ତ୍ତରେ ସମାଲୋଚନା କରିବାକୁ ହେବ।
ଷ୍ଟର୍ମରଙ୍କ ଲେବର ପାର୍ଟିର ତ୍ୱରିତ ପୁନରୁଦ୍ଧାର ପଛରେ ପ୍ରକୃଷ୍ଟ କାରଣ ରହିଛି। ୧୯୩୫ରୁ ଦଳର ଶୋଚନୀୟ ପରାଜୟ ପରେ ୨୦୨୦ ରେ ଜେରେମି କୋର୍ବିନ୍ଙ୍କ ଠାରୁ କ୍ଷମତା ପାଇବା ପରେ ଷ୍ଟର୍ମର ଅର୍ଥନୀତି ଏବଂ ଜନସେବାରେ ଉନ୍ନତି ଆଣିବା ପାଇଁ ସନ୍ତୁଳନ ଓ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ବିଜୟ ଦର୍ଶାଏ ଯେ କଟ୍ଟରବାଦ ବିନା ନିର୍ବାଚନରେ ଜିତିବା ସମ୍ଭବ। ସେ ଗଣତନ୍ତ୍ରକୁ ସମସ୍ତଙ୍କ ପାଇଁ ଉନ୍ନତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଏକ ଶକ୍ତିଶାଳୀ ବାର୍ତ୍ତା। ମୋର ନିଜସ୍ବ ଗବେଷଣାରୁ ଜଣାପଡ଼ିଛି ଯେ ଯେତେବେଳେ ଗଣତନ୍ତ୍ର ଠିକ୍ ଭାବରେ କାର୍ଯ୍ୟକରେ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ସ୍ଥିରତା, ଜନସେବା ଯୋଗାଇଦିଏ ଏବଂ ନିମ୍ନ ସ୍ତରରେ ଅସମାନତା ଏବଂ ଦୁର୍ନୀତ କ୍ଷେତ୍ରରେ ଉଚିତ ପଦକ୍ଷେପ ନେଇପାରେ ସେତେବେଳେ ଲୋକମାନେ ଅଧିକ ଗଣତାନ୍ତ୍ରିକ ହୋଇଥାନ୍ତି। ଏହି ସମାନ ମୌଳିକ ସୂତ୍ର ଅନ୍ୟତ୍ର ଓ୍ବାର୍କର୍ସ ପାର୍ଟି ଓ ସୋସିଆଲ ଡେମୋକ୍ରାଟ୍ସଙ୍କ ପାଇଁ ଭଲ କାମ କରିଛି। ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ଡେନ୍ମାର୍କ, ସୁଇଡେନ୍ ଏବଂ ନରୱେରେ ଲେବର୍ସ ପାର୍ଟ ଦ୍ୱାରା ନିର୍ବାଚନ ବିଜୟରେ ନର୍ଡିକ ମଡେଲ (ଉତ୍ତର ୟୁରୋପ ଓ ଉତ୍ତର ଆଣ୍ଟଲାଟିକ୍ ଅଞ୍ଚଳରେ ଥିବା ଦେଶଗୁଡ଼ିକରେ ଆର୍ଥିକ, ସାମାଜିକ ଓ ସାଂସ୍କୃତର ସମନ୍ବିତ ଢାଞ୍ଚା) ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଦଳଗୁଡ଼ିକ ପ୍ରଥମେ କଠୋର ବାମପନ୍ଥୀ ବିଚାର ଏବଂ ମନ୍ତବ୍ୟଠାରୁ ଦୂରେଇଯାଇ କ୍ଷମତାକୁ ଆସିବା ମାତ୍ରେ ପ୍ରତିଶ୍ରୁତି ମୁତାବକ ବାସ୍ତବ ବିକାଶ ପ୍ରଦାନ କରିଥିଲେ। ସୁଇଡେନ୍ କ୍ଷେତ୍ରରେ ସାମାଜିକ ଗଣତନ୍ତ୍ର ଗ୍ରେଟ୍ ଡିପ୍ରେସନ (ବୈଶ୍ୱିକ ଆର୍ଥିକ ଅଧୋଗତି) ଭଳି ବିପର୍ଯ୍ୟୟରୁ ସୃଷ୍ଟି ହୋଇଥିଲା। ୨ ଦଶନ୍ଧି ପୂର୍ବରୁ ମୂଳ ମାର୍କ୍ସବାଦୀରୁ ବିଚ୍ଛିନ୍ନ ହୋଇଥିବା ଓ୍ବାର୍କର୍ସ ପାର୍ଟି ବ୍ୟାପକ ଆଥିର୍ର୍କ ସ୍ଥିରତା, ଅଧିକ ଚାକିରି ଏବଂ ବେତନ ବୃଦ୍ଧି ଉପରେ ପ୍ରଚାର କରିଥିଲା। ଏହି ପ୍ରତିଶ୍ରୁତିଗୁଡିକ ଦେବା ପରେ ଏହା ଦେଶର ମୁଖ୍ୟ ଶାସକ ଦଳ ପାଲଟିଗଲା।
୨୦୨୪ରେ ବିଟ୍ରେନ୍ର ଲେବର ପାର୍ଟି ଭଳି ନରଓ୍ବେର ଲେବର ପାର୍ଟି ଏକ ଭଲ ବାଟ ପାଇଥିଲା। ୧୯୩୫ରେ କଠୋର ବାମପନ୍ଥୀ ଢାଞ୍ଚାରେ ଯାଇ ଏବଂ ଏହାର ମୋଟ ଆସନର ୨୦% ହରାଇବା ପରେ ଏହା କ୍ଷତି ପୂରଣ କରିବାକୁ ତୁରନ୍ତ ପଦକ୍ଷେପ ନେଇଥିଲା। ୧୯୩୫ରେ ବିଦ୍ୟାଳୟ ସଂସ୍କାର, କଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଚାକିରି ଉପରେ ପ୍ରଚାରକରି ଲେବର ପାର୍ଟି କ୍ଷମତାକୁ ଆସିଲା। ଏହା ଦେଶର କମ୍ ଅର୍ଥନୈତିକ ବିକଶିତ ଅଞ୍ଚଳରେ ଶିକ୍ଷାର ଗୁଣବତ୍ତା ବଢ଼ାଇବା ସହ ବହୁ ଭୋଟରଙ୍କ ସ୍ଥାୟୀ ସମର୍ଥନ ହାସଲକଲା।
ସେହିଦିନଠାରୁ ନରୱେରେ ସୋସିଆଲ ଡେମୋକ୍ରାସି ବା ସାମାଜିକ ଗଣତନ୍ତ୍ର ପ୍ରାଧାନ୍ୟ ବିସ୍ତାର କରିଆସୁଛି।
ଏକ ପାର୍ଟିର ପରିବର୍ତ୍ତନ କରିବା କଷ୍ଟକର। ଷ୍ଟର୍ମର କିନ୍ତୁ କୋର୍ବିନ୍ଙ୍କୁ ଅଲଗା ରଖିିବା ବିଷୟ ସ୍ପଷ୍ଟ କରିଛି ଯେ କୋର୍ବିନ୍ଙ୍କ ବାମପନ୍ଥୀ କଠୋରବାଦ ବ୍ରାଣ୍ଡ୍ ଆଉ ଏଜେଣ୍ଡାରେ ରହିବ ନାହିଁ। ଷ୍ଟର୍ମର ବହୁ ମାସ ଧରି ବାମପନ୍ଥୀ ସମାଲୋଚନାକୁ ସାମ୍ନା କରିଥିଲେ, କିନ୍ତୁ ଦୃଢ଼ ରହିଥିଲେ। ବର୍ତ୍ତମାନ ଆହୁରି ବଡ ପରୀକ୍ଷା ଆସିଛି। ବିଶେଷକରି ଅର୍ଥନୈତିକ ଅଭିବୃଦ୍ଧିର ପୁନରୁଦ୍ଧାର କରିପାରୁଛି କି ନାହିଁ ତାହା ଲେବର ପାର୍ଟି ଉପରେ ନିର୍ଭର କରିବ। କଞ୍ଜରଭେଟିଭ ଶାସନର ଗତ ୧୪ ବର୍ଷ ମଧ୍ୟରେ ବ୍ରିଟେନ୍ର ଆର୍ଥିକ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା। ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ମନ୍ଥର ହୋଇଯାଇଛି ଏବଂ ଦେଶର ନେତାମାନେ ଉତ୍ପାଦନ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏହା ସ୍ବୀକାର କରିବାକୁ ହେବ ଯେ, ସରକାରୀ ଏବଂ ବେସରକାରୀ ନିବେଶରେ ଅଭାବ ବ୍ରିଟେନ୍ର ଉତ୍ପାଦନ ଏବଂ ରୋଜଗାର କ୍ଷେତ୍ରରେ ଶୋଚନୀୟ ପ୍ରଦର୍ଶନର କାରଣ ହୋଇଛି। ଲେବର ପାର୍ଟିର ଏକ ଶକ୍ତିଶାଳୀ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଠିକ୍ ଧାରଣା ଅଛି। କିନ୍ତୁ ସ୍ବାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଏବଂ ପ୍ରଯୁକ୍ତିରେ ସରକାରୀ ପୁଞ୍ଜି ବିନିଯୋଗ କରିବାକୁ ଷ୍ଟର୍ମର ପ୍ରତିଶ୍ରୁତି ଦେଇଥିବା ବେଳେ ସରକାରଙ୍କୁ ଟିକସ ସଂଗ୍ରହ ବୃଦ୍ଧି କରିବାକୁ ପଡ଼ିବ। ତେଣୁ ଷ୍ଟର୍ମର ପ୍ରତିଶ୍ରୁତିରୁ ପଛକୁ ଫେରି କାର୍ଯ୍ୟରତ ଲୋକଙ୍କ ପାଇଁ ଟିକସ ବୃଦ୍ଧି ନ କରିବାକୁ ଅଲଗା ପ୍ରତିଶ୍ରୁତି ନେବା ଆବଶ୍ୟକ ମଣିିପାରନ୍ତି। ଯଦି ଏହା ହୁଏ, ସେ ସୂଚାଇ ଦେବା ଉଚିତ ଯେ କୌଣସି ଉନ୍ନତ ଅର୍ଥ ବ୍ୟବସ୍ଥା ନୂତନତ୍ୱ ବିନା ସ୍ଥାୟୀ, ଗତିଶୀଳ ଅଭିବୃଦ୍ଧି ହାସଲ କରିପାରିବ ନାହିଁ। ଭିଏଟ୍ନାମ ଏବଂ ଚାଇନା ଭଳି ଦେଶ ଉନ୍ନତ ଟେକ୍ନୋଲୋଜି ଏବଂ କମ୍ ମୂଲ୍ୟର ଶ୍ରମକୁ ଉପଯୋଗକରି ଲାଭ ପାଇବାରେ ସକ୍ଷମ ହୋଇଥିବାବେଳେ ଉଚ୍ଚ ଆୟକାରୀ ଅର୍ଥବ୍ୟବସ୍ଥାଗୁଡ଼ିକରେ ଏଭଳି ବିକଳ୍ପର ଅଭାବ ରହିଛି। ସେମାନଙ୍କୁ ନିଶ୍ଚିତ ଭାବରେ ନୂଆ ପନ୍ଥା ଆପଣାଇବାକୁ ପଡ଼ିବ ନଚେତ୍ ବିଶ୍ୱର ବୈଷୟିକ ସୀମା ପଛରେ ରହିଯିିବେ। କୃତ୍ରିମ ବୁଦ୍ଧିମତ୍ତା ଉପରେ ପୂର୍ବ ସରକାରଙ୍କ ଗୁରୁତ୍ୱ ସତ୍ତ୍ୱେ ବ୍ରିଟେନ୍ ଟେକ୍ନୋଲୋଜି ଦୌଡ଼ରେ ପଛରେ ପଡିଛି ଏବଂ କୌଣସି ପରିମାଣର ସରକାରୀ ଗୁରୁତ୍ୱ ଚମତ୍କାର ଭାବରେ ଏହି ବିଷୟରେ ପରିବର୍ତ୍ତନ ଆଣିପାରିବ ନାହିଁ। ଏହା ପରିବର୍ତ୍ତେ ବ୍ରିଟେନ୍ ଏକ ସମନ୍ବିତ ଦୀର୍ଘକାଳୀନ ରଣନୀତି ଆବଶ୍ୟକ କରେ ଯାହାକି ବ୍ୟାପକ ଉଦ୍ଭାବନ ଅର୍ଥ ବ୍ୟବସ୍ଥାରେ ଏକ ସ୍ଥାନ ପାଇପାରିବ। ସଫଳତା ନିର୍ଦ୍ଦିଷ୍ଟ କମ୍ପାନୀ କିମ୍ବା କ୍ଷେତ୍ରଗୁଡିକୁ ସମର୍ଥନ କରୁଥିବା ଏକ ପୁରାତନ ଶୈଳୀରେ ଶିଳ୍ପନୀତିଠାରୁ ଅଧିକ କିଛି ଆବଶ୍ୟକ ହେବ। ଗଣତନ୍ତ୍ରକୁ ଭଲ ଭାବେ କାର୍ଯ୍ୟ କରାଇବା ପାଇଁ ଲେବର ପାର୍ଟିର ଯୋଜନା ମଧ୍ୟରେ ଏକ ସମ୍ଭାବ୍ୟ ତ୍ରୁଟି ମଧ୍ୟ ଅଛି। ପ୍ରତିକ୍ରିୟାଶୀଳ ଗଣତାନ୍ତ୍ରିକ ଶାସନ ଅର୍ଥ ହେଉଛି ଯେ ସେଥିରେ କୌଣସି ପ୍ରମୁଖ ଜନସାଧାରଣଙ୍କ ଚିନ୍ତାଧାରାକୁ ଅଣଦେଖା କରାଯାଏ ନାହିଁ। ବ୍ରିଟିଶ ନିର୍ବାଚିତ ପ୍ରତିନିଧିମାନେ ପୁନର୍ବାର ସଙ୍କେତ ଦେଇଛନ୍ତି ଯେ ଏହା ପ୍ରବାସୀଙ୍କ ବିଷୟରେ ଅଧିକ ଚିନ୍ତିତ।
ଅନ୍ୟ ୟୁରୋପୀୟ ଦେଶ ପରି ବ୍ରିଟେନ୍ ଦକ୍ଷିଣପନ୍ଥୀ ମଧ୍ୟ ଅଧିକ ଦକ୍ଷିଣପନ୍ଥୀ ଆଡ଼କୁ ଢଳିବାରେ ବେଶି ଚାପର ସମ୍ମୁଖୀନ ହେବେ। ଏହାସହ ଲେବର ପାର୍ଟି ଏବଂ ଅନ୍ୟ ଉଦାରବାଦୀ ବାମପନ୍ଥୀ ରାଜନେତାମାନେ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ନିର୍ବାଚନ ପରେ ନିର୍ବାଚନ ଦର୍ଶାଏ ଯେ ଇମିଗ୍ରେସନ ଉପରେ ଜନସଂଖ୍ୟାର ମତକୁ ଅଣଦେଖା କରିବା ଏକ ସଫଳ ରଣନୀତି ନୁହେଁ। ସାମଗ୍ରିକ ଭାବେ ଇମିଗ୍ରେସନ ଉପରେ ଅଧିକ ସ୍ବଚ୍ଛତା ଏବଂ ନିୟନ୍ତ୍ରଣର ପ୍ରତିଶ୍ରୁତି ଦେଉଥିବାବେଳେ ଶରଣାର୍ଥୀଙ୍କୁ ଅନୁମତି ଦେଇ ମାନବୀୟ ଉଦାହରଣ ସୃଷ୍ଟିକରିବା ଆବଶ୍ୟକ। ପ୍ରବାସୀ ନୀତିକୁ ମାର୍ଗଦର୍ଶନ କରିବା ପାଇଁ ଠିକ୍ ଯୋଗାଯୋଗ ରଣନୀତି ଏବଂ ଠିକ୍ ନୀତି ଖୋଜିବା ନୂତନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ । ଷ୍ଟର୍ମର ପୂର୍ବରୁ ମାନବ ଅଧିକାର ଆଇନଜୀବୀ ଭାବେ କାର୍ଯ୍ୟ କରିଥିବାରୁ ଅନ୍ୟମାନେ ବିଫଳ ହୋଇଥିବା ସ୍ଥାନରେ ସଫଳ ହେବା ସମ୍ଭାବନା ଅଧିକ।
ଇନ୍ଷ୍ଟିଚ୍ୟୁଟ୍ ପ୍ରଫେସର
ଅଫ୍ ଇକୋନୋମିକ୍ସ, ଏମ୍ଆଇଟି