Categories: ଖେଳ

ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନକୁ ଫିଫାର ନିର୍ଦ୍ଦେଶ

ପ୍ୟାରିସ୍‌,୨୩।୯(ଏଏଫ୍‌ପି)- ଫୁଟବଲ୍‌ ଷ୍ଟାଡିୟମରେ ମହିଳା ପ୍ରଶଂସିକାଙ୍କ ପ୍ରବେଶ ନେଇ ଅନୁମତି ଦେବାକୁ ଫିଫା ଇରାନ୍‌କୁ ନିର୍ଦ୍ଦେଶ ଦେଇଛି। ବହୁ ଚର୍ଚ୍ଚିତ ‘ବ୍ଲୁ ଗର୍ଲ’ ଘଟଣାରେ ଜଣେ ମହିଳା ଆତ୍ମହତ୍ୟା କରିବା ପରେ ଫିଫା ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ଘଟଣା ଅନୁସାରେ ଫୁଟବଲ ଷ୍ଟାଡିୟମକୁ ପ୍ରବେଶ କରୁଥିବାବେଳେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ସମ୍ପୃକ୍ତ ମହିଳା ଜଣକ ଆତ୍ମହତ୍ୟ କରିଥିଲେ। ଫଳରେ ଫିଫା ଫୁଟବଲ ଷ୍ଟାଡିୟମରେ ମହିଳାଙ୍କ ଅସୀମିତ ପ୍ରବେଶ ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଇରାନକୁ ନିର୍ଦ୍ଦେଶ ଦେଇଛି।
ଫୁଟବଲ ଓ ମହିଳାଙ୍କ ସମସ୍ୟା ନେଇ ଫିଫାର ପ୍ରତିନିଧି ଦଳ ଚଳିତ ସପ୍ତାହ ଶେଷ ପୂର୍ବରୁ ଇରାନ ଗସ୍ତ କରିଛି। ଫୁଟବଲ ମ୍ୟାଚ୍‌ ଦେଖିବାକୁ ମହିଳାଙ୍କୁ ଅନୁମତି ଦେବା ଓ ବିନାମୂଲ୍ୟରେ ଏହି ସୁବିଧା ଯୋଗାଇଦେବାକୁ ଫିଫା ତା’ର ଏହି ଆଭିମୁଖ୍ୟକୁ ଦୋହରାଇଛି। ଦେଶରେ ଏହା ଫୁଟବଲର ଲୋକପ୍ରିୟତାକୁ ବଢ଼ାଇବାର ସହାୟକ ହେବ ବୋଲି ଫିଫା ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ୧୯୮୧ ପରଠାରୁ ଇରାନ ମହିଳା ପ୍ରଶଂସକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେଉନାହିଁ। ପୁରୁଷ ଫୁଟବଲରମାନେ ସମ୍ପୂର୍ଣ୍ଣ ପୋଷାକ ପରିଧାନ କରି ନ ଥିବାରୁ ଷ୍ଟାଡିୟମରେ ଏକ ଭିନ୍ନ ପ୍ରକାର ପରିବେଶ ସୃଷ୍ଟି ହେଉଛି। ଫଳରେ ମୁସଲିମ୍‌ ଧର୍ମଗୁରୁମାନେ ମହିଳାଙ୍କୁ ଷ୍ଟାଡିୟମ ପ୍ରବେଶ ନେଇ ବାରଣ କରିଛନ୍ତି।
‘ବ୍ଲୁ ଗର୍ଲ’ ଘଟଣାରେ ମହିଳା ପ୍ରଶଂସକ ଜଣକ ପୁରୁଷ ବେଶରେ ଷ୍ଟାଡିୟମକୁ ପ୍ରବେଶ କରିବାକୁ ପ୍ରୟସ କରିଥିଲେ। ତେବେ ସେ ଧରାପଡି ଗିରଫ ହୋଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏଷ୍ଟେଘଲାଲ ଏଫ୍‌ସିକୁ ସମର୍ଥନ କରୁଥିଲେ। ଏହି କ୍ଲବର ଖେଳାଳିଙ୍କ ଜର୍ସି ରଙ୍ଗ ବ୍ଲୁ ହୋଇଥିବାରୁ ମହିଳାଙ୍କୁ ବ୍ଲୁ ଗର୍ଲ ବୋଲି କୁହାଯାଉଛି। ଗିରଫ ହେବା ପରେ ସେ କୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ତେହେରାନ୍‌ର ଏକ ହସ୍ପିଟାଲରେ ସେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ସାର ବିଶ୍ୱରେ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଇରାନକୁ ବାସନ୍ଦ କରିବା ପାଇଁ ବିଶ୍ୱର ସର୍ବୋଚ୍ଚ ଫୁଟବଲ ସଂସ୍ଥା ଫିଫା ଉପରେ ଚାପ ପ୍ରୟୋଗ କରାଯାଇଥିଲା।

Share