ଷ୍ଟାର୍ଟଅପ୍‌ରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ଦେଖିବାକୁ ମିଳୁଛି। ୨୦୧୮ରେ ଓଡ଼ିଶା ଜାତୀୟ ସ୍ତରରେ ଷ୍ଟାର୍ଟଅପ୍‌ ପାଇଁ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ୨୦୧୫-୧୬ରେ ରାଜ୍ୟରେ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଥିଲା। ୨୦୧୭-୧୮ ବେଳକୁ ଏଥିରେ ୮୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟରେ ଦେଶର ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ହାର ମାତ୍ର ୬୨ ପ୍ରତିଶତ ରହିଛି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ପୁଞ୍ଜିନିବେଶ କରିବାକୁ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ବିଭାଗଗୁଡିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟାର୍ଟଅପ୍‌ ଫଣ୍ଡ୍‌ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ରାଜ୍ୟରେ ୫୦୦ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ୨୦୧୭ ଓ ଏହା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳା ଷ୍ଟାର୍ଟଅପ୍‌ ଥିବା ସଚିବ ସୂଚନା ଦେଇଛନ୍ତି। ଷ୍ଟାର୍ଟଅପ୍‌କୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ଟ,ଏନଆଇଆଇଟି, କିଟ୍‌, ଆଇଆଇଟି ଭୁବନେଶ୍ୱର ଏବଂ ରବିଶଙ୍କର ୟୁନିଭର୍ସିଟିରେ ଇନ୍‌କ୍ୟୁବେଟର ସେଣ୍ଟର ସ୍ଥାପନ କରାଯାଇଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୧ ହଜାର ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ନୀତିରେ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକତା ଅନୁସାରେ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍‌ ପାଣ୍ଠିକୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଶର୍ମା ସୂଚନା ଦେଇଥିଲେ।

Share