ଷ୍ଟାର୍ଟ ଅପ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା : ସହରରେ ଷ୍ଟାର୍ଟ ହବ୍‌ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ୩୮ ପାରାମିଟର ଆଧାରରେ ରାଜ୍ୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଗୁରୁବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୂକ୍ଷ୍ମ, କ୍ଷୁୂଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ସୂଚନା ଦେଇଛନ୍ତି। ଷ୍ଟାର୍ଟ ଅପ୍‌ ନୀତିକୁ କାର୍ଯ୍ୟକାରୀ କରିବା, ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା, ପୁଞ୍ଜି ଯୋଗାଡ, ନିୟମ କୋହଳ କରିବା ଆଦି ବିଭିନ୍ନ ବିଷୟ ଯୋଗୁ ରାଜ୍ୟରେ ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ଅଗ୍ରଗତି ହୋଇଛି। ୨୭ ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଓଡିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବୈଠକରେ ସୂଚନା ଦିଆଯାଇଛି। ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ରାଜ୍ୟର ବଡ ବଡ ସହରରେ ଷ୍ଟାର୍ଟ ଅପ୍‌ ହବ୍‌ ସ୍ଥାପନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ଷ୍ଟାର୍ଟ ଅପ୍‌ ପୋର୍ଟାଲ ମାଧ୍ୟମରେ ୫୯୨ ଷ୍ଟାର୍ଟ ଅପ୍‌ ଭେଞ୍ଚର ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୪୨୩କୁ ଷ୍ଟାର୍ଟ ଅପ୍‌ କାଉନସିଲ ଅନୁମୋଦନ ଦେଇଛି। ଏଥିରେ ୧୩୮ ମହିଳା ଷ୍ଟାର୍ଟ ଅପ୍‌ ରହିଛି। ୭୩ ଷ୍ଟାର୍ଟ ଅପ୍‌କୁ ଆର୍ଥିକ ସହାୟତା ପାଇଁ ସୁଯୋଗ ଦିଆଯାଇଛି। ଉକ୍ତ ଷ୍ଟାର୍ଟ ଅପ୍‌ଗୁଡିକ ମଧ୍ୟରୁ ୧୮ ପ୍ରତିଶତ ସୂଚନା ପ୍ରଯୁକ୍ତି ବିଦ୍ୟା, ୯ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ର, ୯ ପ୍ରତିଶତ ଗ୍ରୀନ ଟେକ୍ନୋଲୋଜି, ୬ ପ୍ରତିଶତ କୃଷି, ୬ ପ୍ରତିଶତ ଖାଦ୍ୟ ପ୍ରକ୍ରିୟାକରଣ, ୫ ପ୍ରତିଶତ ଶିକ୍ଷା, ୩ ପ୍ରତିଶତ ପର୍ଯ୍ୟଟନ ଓ ୩୮ ପ୍ରତିଶତ ଅନ୍ୟାନ୍ୟ କ୍ଷେତ୍ରରୁ ଆସିଥିବା ସୂଚନା ଦିଆଯାଇଥିଲା। ବୈଠକରେ ଅର୍ଥ ସଚିବ, ସୂଚନା ପ୍ରଯୁକ୍ତିବିଦ୍ୟା ସ୍ବତନ୍ତ୍ର ସଚିବ ଓ ଏସଟିପିଆଇ, ବିପିୟୁଟିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share