ଆଇସିସି ନିକଟରେ ଫେରାଦ ହେଲା ପିସିବି

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ନିକଟରେ ଫେରାଦ ହୋଇଛି। ଏପରି କି ଆଇସିସି ପଦାଧିକାରୀ ପ୍ରସାରଣକାରୀ ସଂସ୍ଥା ଷ୍ଟାର ପରିବାରକୁ ସମାଲୋଚନା କରିବା ସହ ପିସିବିର ଅଭିଯୋଗ ସମ୍ପର୍କରେ ଜଣାଇଛନ୍ତି। ବ୍ୟବସାୟିକ ଟେଲିଭିଜନ ବିଜ୍ଞାପନ (ଟିଭିସି)ରେ ଆପତ୍ତିଜନକ ତଥ୍ୟ ଥିବା ପିସିବି ସଭାପତି ଈଶାନ ମାନି ଅଭିଯୋଗ ଆଣିଛନ୍ତି। ମାନି ଲିଖିତ କିମ୍ବା ଟେଲିଫୋନ ଜରିଆରେ ଅଭିଯୋଗ କରିଛନ୍ତି, ତାହା ମୁଁ ଜାଣିନାହିଁ। କିନ୍ତୁ ଆମେ ଏ ବିଷୟରେ ଜାଣିବାକୁ ପାଇଛୁ ବୋଲି ଜଣେ ବିସିସିଆଇ ସିନିୟର କର୍ମକର୍ତ୍ତା କହିଛନ୍ତି। ପାକିସ୍ତାନ-ଭାରତ ମୁକାବିଲା ପାଇଁ ଷ୍ଟାର ସ୍ପୋଟର୍‌ସ ପକ୍ଷରୁ ଏକ ଟିଭିସି ପ୍ରସାରିତ ହୋଇଥିଲା, ଯାହାକି ‘ମୋକା ମୋକା’ ନାମରେ ଭାରତରେ ପରିଚିତ। ଏଥିରେ ଭାରତୀୟ ପ୍ରଶଂସକ ନିଜକୁ ପାକିସ୍ତାନ ପ୍ରଶଂସକଙ୍କ ବାପା ବୋଲି କହୁଛନ୍ତି। ଉଲ୍ଲେଖଥାଉ କି, ଆଇସିସି ଅଧିକାର ପାଇ ନ ଥିବା ଏକ ଭାରତୀୟ ଚ୍ୟାନେଲର ମାନ୍ୟତା ରଦ୍ଦ କରାଯାଇଛି। କାରଣ ନିର୍ଦ୍ଦିଷ୍ଟ ଚ୍ୟାନେଲର କ୍ୟାମେରାମ୍ୟାନ ଓ ରିପୋର୍ଟର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମ୍ୟାଚ୍‌ ପୂର୍ବରୁ ଖବରଦାତା ସମ୍ମିଳନୀର ସିଧାପ୍ରସାରଣ କରିଥିଲେ, ଯାହାକି କଡ଼ାକଡ଼ି ନିଷିଦ୍ଧ। ଏଥିଯୋଗୁ ଉଭୟଙ୍କୁ ଭେନ୍ୟୁରୁ ବିଦା କରାଯାଇଛି।

Share