ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ

ଟୋକିଓ,୧୯ା୭(ଏଏଫ୍‌ପି):ଜାପାନର କ୍ୟୋଟୋ ଆନିମେଶନ୍‌ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କ୍ୟୋଟୋ ସହରରେ ଥିବା ଏହି ବିଲ୍ଡିଂରେ ନିଆଁ ଲାଗିବାବେଳେ ପାଖାପାଖି ୭୦ ଜଣ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। କେହି ଜଣେ ବିଲ୍ଡ୍‌ିଂ ଚାରିପଟେ ଗ୍ୟାସୋଲିନ୍‌ ଭଳି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି। ବିଲ୍ଡିଂ ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଲଗାଇବା ପଛର ସମ୍ଭାବ୍ୟ କାରଣ ଜଣାପଡିନାହିଁ। ଜାପାନରେ ଗତ କିଛି ଦଶନ୍ଧି ମଧ୍ୟରେ ଏହା ସବୁଠୁ ବଡ଼ ହିଂସାତ୍ମକ ଅପରାଧ ବୋଲି କୁହାଯାଉଛି।
ତିନି ମହଲା ବିଲ୍ଡିଂର ଝରକାଗୁଡ଼ିକରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ପ୍ରଥମ ମହଲାରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ପରେ ବିଲ୍ଡିଂରେ ନିଆଁ ବ୍ୟାପିଯାଇଥିଲା। ତଳ ମହଲାରୁ ୨ ଜଣ, ଦ୍ୱିତୀୟ ମହଲାରେ ୧୧ ଏବଂ ତୃତୀୟ ମହଲା ଏବଂ ସିଡି ପାହାଚରୁ ୨୦ ଜଣଙ୍କ ମୃତଦେହ ମିଳିଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ନିଆଁର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଏହା ଏକ ଅଗ୍ନିଜନିତ ଆକ୍ରମଣ। ନିଆଁରେ ଆହତ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ଚିକିତ୍ସା ପାଇଁ ହସ୍ପିଟାଲ ନେଇଛି। ବିଲ୍ଡିଂ ବାହାରେ ଉକ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ଗରୁତର ଆହତ ଏହି ବ୍ୟକ୍ତିଜଣକ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀ ସାଙ୍ଗରେ ଛୁରି ନେଇ ଆସିଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଃଖପ୍ରକାଶ କରିଛନ୍ତି। ଏଭଳି ମର୍ମନ୍ତୁଦ ଘଟଣାର ବର୍ବରତା ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଭାଷା ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବରୁ ହତ୍ୟା ଧମକ ଥାଇ ଇ-ମେଲ୍‌ ଆସିଥିଲା ବୋଲି କ୍ୟୋଟୋ ଆନିମେଶନ୍‌ର ଅଧ୍ୟକ୍ଷ ହିଦେଆକି ହାଟ୍ଟା କହିଛନ୍ତି। କମ୍ପାନୀର ମୁଖ୍ୟ ବିଲ୍ଡିଂ ଜଳିଯାଇଛି, ଯେଉଁଥିରେ ଅନେକ ଟେଲିଭିଜନ ଆନିମେଶନ୍‌ ଚିତ୍ର ପ୍ରସ୍ତୁତ ହୋଇଥିଲା। ଏହି ଆକ୍ରମଣ ଆନିମେଶନ ଚଳଚ୍ଚିତ୍ର ଜଗତ ଓ ଏଥିସହ ସମ୍ପୃକ୍ତ ଲୋକମାନଙ୍କ ପାଇଁ ବଡ଼ ଝଟକା। ଜାପାନର ଆନିମେଶନ୍‌ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା।

Share