ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି। ଏଏସ୍‌ଆଇ ଏସ୍‌. ପାତ୍ର, ଏଏସ୍‌ଆଇ କେ. ଏସ ପଣ୍ଡା, କନଷ୍ଟେବଳ ପ୍ରଭାକର ସ୍ବାଇଁ ଓ ଏଲ୍‌. ଏନ୍‌ ମୁର୍ମୁ ପ୍ରମୁଖ ଷ୍ଟେଶନ ପରିସରରେ ଥିବା ୪ଟି ପ୍ଲାଷ୍ଟିକ ବ୍ୟାଗ୍‌ ଭିତରେ ୧୨୦ଟି କଇଁଛ ଥିବା ଜାଣିପାରିଥିଲେ। ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌ରେ ଏହି କଇଁଛ ଚାଲାଣ କରିବା ପାଇଁ ଜଣେ ବ୍ୟବସାୟୀ ପ୍ରସ୍ତୁତ ହେଉଥିବାବେଳେ ଆରପିଏଫ ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ହେଲେ ବ୍ୟବସାୟୀ ଜଣକ କୌଶଳକ୍ରମେ ଖସି ପଳାଇବାରେ ସମର୍ଥ ହୋଇଥିଲେ। ଉଦ୍ଧାର କଇଁଛ ସବୁକୁ ଗୁରୁବାର ରୂପ୍‌ସା ଆରପିଏଫ ଆଉଟପୋଷ୍ଟରୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ସଦର ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, କର୍ମଚାରୀ ଶଶାଙ୍କ ଶେଖର ଜେନା ଓ ଶଶୀଧର ମହାନ୍ତି ପ୍ରମୁଖ ପହଞ୍ଚତ୍ ଉଦ୍ଧାର କଇଁଛକୁ ନେଇ ବୁଢ଼ାବଳଙ୍ଗ ନଦୀ ମୁହାଣରେ ଛାଡ଼ି ଦେଇଥିଲେ।