Categories: ବାଣିଜ୍ୟ

ଷ୍ଟେଶନ ପରିସରରେ କଡାକଡି ହେବ ସ୍ବଚ୍ଛତା ନିୟମ

ଭୁବନେଶ୍ୱର,୮-୨: ଚଳିତ ମାସ ୧୦ ତାରିଖଠାରୁ ରେଳ ଓ ରେଳ ଷ୍ଟେଶନ ପରିସରରେ ସ୍ବଚ୍ଛତା ନିୟମ କଡାକଡି ହେବ। ନିୟମ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ନୂତନ ଜରିମାନା ବ୍ୟବସ୍ଥା ଲାଗୁ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ(ଏନ୍‌ଜିଟି)ଙ୍କ ଆଦେଶ ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ସ୍ବଚ୍ଛ ଭାରତ ମିଶନକୁ କଡାକଡି କରାଯିବ। ପୂର୍ବତଟ ରେଳପଥରେ ପ୍ରଥମଥର ଲାଗି ସମସ୍ତ ରେଳ ମଣ୍ଡଳଗୁଡିକରେ ଷ୍ଟେଶନ ବର୍ଗକୁ ଆଧାର କରି ସମାନ୍ତରାଳ ଭାବେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଷ୍ଟେଶନ ପ୍ରବନ୍ଧକ, ଷ୍ଟେଶନ ଅଧିକ୍ଷକ, ଷ୍ଟେଶନ ମାଷ୍ଟରଙ୍କ ସହ ବାଣିଜ୍ୟ ଏବଂ ପରିଚାଳନା ବିଭାଗର ଜରିମାନା ଆଦାୟ କରିପାରିବେ। ଏହି ବର୍ଗରେ ଟିକେଟ କଲେକ୍ଟରଙ୍କଠାରୁ ନିମ୍ନରେ ନ ଥିବା ଅଧିକାରୀ, ବାଣିଜ୍ୟ ଓ ପରିଚାଳନା ଅଧିକାରୀ, ରେଳ ସୁରକ୍ଷାବଳର ଆସିଷ୍ଟାଣ୍ଟ ସବ୍‌ ଇନସ୍ପେକ୍ଟରଙ୍କଠାରୁ ନିମ୍ନରେ ନ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଏହି ଜରିମାନା ଆଦାୟ କରିପାରିବେ।
ଷ୍ଟେଶନ ପରିସର ଏବଂ ଟ୍ରେନଗୁଡିକରେ ସ୍ବଚ୍ଛତା ଓ ସ୍ବାସ୍ଥ୍ୟକର ପରିବେଶ ଆଣିବା ଦିଗରେ ସ୍ବଚ୍ଛ ଭାରତ ମିଶନର ପରିକଳ୍ପନାକୁ ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀମାନେ ପୂର୍ବତଟ ରେଳପଥକୁ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। ଥୁକିବା, ଅଳିଆ ଆବର୍ଜନା ପକାଇବା ଏବଂ ସ୍ବଚ୍ଛତା ନିୟମ ଅବମାନନା ବିରୋଧରେ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ମୁନିସିପାଲ ସଲିଡଓ୍ବେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବା ଲାଗି ରହିଥିବା ନିର୍ଦ୍ଦେଶ ମୁତାବକ ଏଭଳି ନିଷ୍ପତ୍ତି ହୋଇଛି। ପୂର୍ବରୁ ରହିଥିବା ନିୟମ ଅନୁସାରେ ଥୁକିବା, ଆବର୍ଜନା କରିବା, କାନ୍ଥବାଡକୁ ଅପରିସ୍କାର କରିବା ବିରୋଧରେ କଡା ପଦକ୍ଷେପ ନିଆଯାଇ ଜରିମାନା ଆଦାୟ କରାଯାଇଛି। ୨୦୧୭-୧୮ରେ ପୂର୍ବତଟ ରେଳପଥ ପକ୍ଷରୁ ୯୩୦୧ ଜଣଙ୍କୁ ଦଣ୍ଡିତ କରାଯାଇଛି। ୧୦୧୮-୧୯ରେ ୧୦,୫୮୨ ଜଣ ଏବଂ ଚଳିତ ଆର୍ଥତ୍କ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ୮୩୨୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏମାନେ ଷ୍ଟେଶନ ପରିସରରେ ଥୁକିବା କିମ୍ବା ଆବର୍ଜନା କରୁଥିବାରୁ ଧରାପଡିଥିଲେ।

Share