ଷ୍ଟେଶନ ଲିଭ୍‌ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ

ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍‌ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରେ ରହିବେ। ଏହି ଦୁଇଘଣ୍ଟାରେ ସେମାନେ ନିଜ ନିଜ ବିଭାଗର ଉନ୍ନୟନ କାର୍ଯ୍ୟର ରୂପାୟନ ସହ ଟ୍ରାନ୍ସପରେନସି, ଟିମ୍‌ୱର୍କ, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେଶନ ଓ ଟାଇମ୍‌ ସମ୍ପର୍କରେ ଆଲୋଚନା କରିବେ। ଏ ନେଇ ରାଜ୍ୟ ସରକାର ଚିଠି ନଂ ୧୭୧୫୫ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନୁଗୋଳ ଜିଲାରେ ଉଲ୍ଲଂଘନ କରାଯାଇଛି। ଖୋଦ୍‌ ଜିଲାପାଳ ଆଜି କରିଥିବା ସମୀକ୍ଷା ବୈଠକରେ ବହୁ ଅଧିକାରୀ ଅନୁପସ୍ଥିତ ରହିଥିବା ପ୍ରମାଣ ପାଇବା ପରେ ବିରକ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ଏହି ୫ଟି ମନ୍ତ୍ରର ସମୀକ୍ଷା କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ତାଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚତ୍ଥିଲେ। ଏହାପରେ ସେ ଜିଲାର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡକାଇଥିଲେ। କିନ୍ତୁ କେତେଜଣ ହାତ ଗଣତି ଅଧିକାରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ଅନ୍ୟମାନଙ୍କ ଦେଖା ନ ଥିଲା। ଏପରି କି ଜିଲାପାଳଙ୍କ ନିର୍ଦ୍ଦେଶ ମିଳିବା ପରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ତାଙ୍କ ଷ୍ଟେନୋ ଯୋଗାଯୋଗ କରିଥିଲେ। କିନ୍ତୁ ସମସ୍ତେ ଜିଲା ବାହାରେ ଥିବା କଥା କହିଥିଲେ। ଏହାକୁ ନେଇ ଜିଲାପାଳ ବିରକ୍ତି ହୋଇଥିବା ଜଣାପଡ଼ିଛି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଡେପୁଟି କଲେକ୍ଟର ବଇତୁରା ଦୀପ, ଆସିଷ୍ଟାଣ୍ଟ କଲେକ୍ଟର ଲମ୍ବୋଦର ମାରାଣ୍ଡି, ରତନ ଆଚାର୍ଯ୍ୟ, ଅନୁଗୋଳ ବିଡିଓ ମାୟାଧର ମହାନ୍ତି, ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସହ ଅନ୍ୟଜଣେ ବୈଠକରେ ଉପସ୍ଥିତ ଥିଲେ। ଅନ୍ୟମାନେ ଷ୍ଟେଶନ ଲିଭ(ଜିଲା ବାହାରକୁ ଯିବା ପାଇଁ ଅନୁମତି) ନ ନେଇ ଚାଲିଯାଇଥିଲେ। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ଜିଲା ବାହାରକୁ ଅଧିକାରୀମାନେ ଗଲେ ଅନୁମତି ନେବା କଥା। କିନ୍ତୁ ଆଜି ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଯେଉଁମାନେ ଜିଲାରେ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share