ଷ୍ଟେସନ ରୋଡ଼ରୁ ବେନିୟମ ହମ୍ପସ ଉଠାଇବାକୁ ଦାବି

କେନ୍ଦୁଝର,୨।୬(ସ୍ବ.ପ୍ର) କେନ୍ଦୁଝରଗଡ଼ ରେଳଷ୍ଟେସନ ଠାରୁ ଧୋବାଡ଼ିହା ପର୍ଯ୍ୟନ୍ତ ଷ୍ଟେସନ ରୋଡ଼ଟି ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ। ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବହନ ଏହି ରାସ୍ତାରେ ଚଳାଚଳ କରିଥାଏ। ସେହିପରି ସାଧାରଣ ଲୋକେ ମଧ୍ୟ ଏହି ରାସ୍ତାଟିରେ ସମ୍ପୂୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଉକ୍ତ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଯାତାୟତ ପାଇଁ ଅନୁପଯୁକ୍ତ ହୋଇପଡିଛି। ଦୁଇ କିଲୋମିଟର ବିଶିଷ୍ଟ ଏହି ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟାରେ ବେନିୟମ ହମ୍ପସ ନିର୍ମାଣ କରାଯାଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି।
କେତେକ ସ୍ଥାନରେ ସିଧାସଳଖ ଭାବେ ଅବ୍ୟବହୃତ ଭଙ୍ଗା ବିଦ୍ୟୁତ ଖୁଣ୍ଟଗୁଡିକୁ ଆଣି ରାସ୍ତା ଉପରେ ରଖି ଦିଆଯାଇଛି। ରାସ୍ତାର କେତେକ ସ୍ଥାନରେ ବେନିୟମ ଭାବେ ମାଟି, ମୋରମ, ମେଣ୍ଟାଲ, ଚିପ୍ସ, ବାଲି ଗଦା କରାଯାଇଛି। ଯାହାଫଳରେ ସାଧାରଣ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେବା ସହ ଧନ ଜୀବନ ହାନି ଘଟୁଛି। ଷ୍ଟେସନ ରୋଡ଼ର ଏପରି ଶୋଚନୀୟ ଅବସ୍ଥା କେନ୍ଦୁଝର ବାସୀଙ୍କୁ, ଅନ୍ୟ ଜିଲା ତଥା ରାଜ୍ୟବାସୀଙ୍କ ନିକଟରେ ଲଜ୍ଜିତ କରୁଛି। ପୂର୍ତ୍ତ ବିଭାଗ ଦାରା ବେନିୟମ ହମ୍ପସ ଓ ଅନ୍ୟାନ୍ୟ ସାମଗ୍ରୀକୁ ରାସ୍ତାରୁ ହଟାଇବା ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ଟ୍ରାଫିକ ସଂକେତ ଲଗାଇବା, ଜଳୁ ନ ଥିବା ଷ୍ଟ୍ରିଟ ଲାଇଟ୍‌ଗୁଡିକୁ ମରାମତି କରିବା, ରାସ୍ତାର ଉଭୟ ପାର୍ଶ୍ୱରେ ରେଡିୟମ ଲଗାଇବା ସହିତ ରାସ୍ତା ମଝିରେ ଚୁନ ପକାଇ ଚିହ୍ନ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବିି ଜିଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।

Share